Unknown

 

 

 

 

 

 

 

 

 

 

ପାଞ୍ଚାଳୀ-ପଟ୍ଟାପହରଣ ଓ ବ୍ରାହ୍ମଣ

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

 

ସୂଚୀପତ୍ର

 

ପାଞ୍ଚାଳୀ ଓ ବ୍ରାହ୍ମଣ (ପ୍ରଥମ ଛାନ୍ଦ)

ଦ୍ୱିତୀୟ ଛାନ୍ଦ

ତୃତୀୟ ଛାନ୍ଦ

ଚତୁର୍ଥ ଛାନ୍ଦ

ପଞ୍ଚମ ଛାନ୍ଦ

ଷଷ୍ଠ ଛାନ୍ଦ

ସପ୍ତମ ଛାନ୍ଦ

ଅଷ୍ଟମ ଛାନ୍ଦ

ନବମ ଛାନ୍ଦ

୧୦

ଦଶମ ପର୍ବ, ଢୁଆ

୧୧

ଏକାଦଶ ଛାନ୍ଦ

୧୨

ବ୍ରାହ୍ମଣ (ପ୍ରଥମ ପର୍ବ)

୧୩

ଦ୍ୱିତୀୟ ପର୍ବ

୧୪

ତୃତୀୟ ପର୍ବ

୧୫

ଚତୁର୍ଥ ପର୍ବ

୧୬

ପଞ୍ଚମ ପର୍ବ(ରାମକେରୀ)

୧୭

ଷଷ୍ଠ ପର୍ବ

୧୮

ସପ୍ତମ ପର୍ବ

୧୯

ଅଷ୍ଟମ ପର୍ବ

୨୦

ନବମ ପର୍ବ

 

ପାଞ୍ଚାଳୀ ଓ ବ୍ରାହ୍ମଣ

ପ୍ରଥମ ଛାନ୍ଦ

(କାମୋଦୀ)

 

(୧)

ଭୀଷ୍ମକ ଶକ୍ରାଜିତ      ଜେମା ପ୍ରେମାନୁଗତ

ଦ୍ଵାରକା ଠାକୁର କପଟୀ

ଭକ୍ତ ଭାବ ପ୍ରସଙ୍ଗେ      କହିଲେ କଳାରଙ୍ଗେ

ପାଞ୍ଚାଳୀ ପ୍ରେମ ପରିପାଟୀ ଗୋ

କୃଶୋଦରି ମଦ୍‌ଗତ       ଭକ୍ତ ତାହା ପରି

ବ୍ରହ୍ମାଣ୍ଡେ ଦ୍ୱିତୀୟ କେ ସରି

ସ୍ୱପନେ ଜାଗରଣେ      ଦୈବେ ତା’ ନାମ କର୍ଣ୍ଣେ

ବାଜିଲେ ଯାଏଁ ମୁଁ ବିଶୋରି I

 

(୨)

ଶାନ୍ତ ଦାସ୍ୟ ମଧୁର      ସଖ୍ୟ ବାତ୍ସଲ୍ୟ ଭାବେ

ଅଛନ୍ତି କେତେ ମୋର ସ୍ନେହୀ

ଜଣ ଜଣକେ ଏକ            ଏକ ଭାବେ ଭାବୁକ

ପାଞ୍ଚାଳୀ ପରା ନାହିଁ କେହି ଗୋ

ରସମୟୀ ସକଳେ ଭାବେ ପୂର୍ଣ୍ଣ ହୋଇ

ଦ୍ୱିତୀୟ ଦେଖୁନାହିଁ କାହିଁ

କୁରୁ କୁଳ କମଳା      ମରୁ କମଳ ପରା

ସୌରଭେ ମହକାଉ ଛଇଁ I

 

(୩)

ଦ୍ୱାରକା ଠାକୁରାଣୀ      ମାନିନୀ ଶିରୋମଣି

ପରଦାର ପ୍ରଶଂସା ଶୁଣି

ଭାବିଲେ ଏ କି ହେଲା      ମୋ ଦମ୍ଭ ଯେତେ ଥିଲା

କୃଷ୍ଣ ପ୍ରେୟସୀ ବୋଲି ପୁଣି

ନିମିଷକେ ସବୁ ତ ହେଲା ଅକାରଣ

ଧିକ ତ ଥିବାର ଜୀବନ

ସର୍ବାର୍ଥ ଚିନ୍ତାମଣି      କୌସ୍ତୁଭ କଣ୍ଠେ ଘେନି

ମୁଁ ହେଲି କାଚଠାରୁ ହୀନ I

 

(୪)

ଆବାଲ୍ୟ ବନ୍ଧୁ ଠାରେ      ସତ୍ୟଭ୍ରଷ୍ଟ ହେବାରେ

ଯେହୁ ପାଇଛି ପରାଭବ

ରାଜ ମଦେ ଅଜ୍ଞାନ       ଦ୍ରୋଣ ଗୁରୁଙ୍କୁ ସାନ

ଯେ ପାପୀ କରିପାରେ ଲବ

ଦ୍ରୁପଦର ତପସ୍ୟା ଫଳେ ଜାତ ହୋଇ

ପଞ୍ଚଭର୍ତ୍ତାଙ୍କ ସଙ୍ଗେଥାଇଁ

ଭିକ୍ଷାଶୀ ବନଚାରୀ      ଶବରୀଠାରୁ ହୀନ

ଗଗନେ ଦେଲେ ତାଙ୍କୁ ଥୋଇ I

 

(୫)

ହିମାଦ୍ରି ଜେମା ଉମା      ମହେଶ ମନୋରମା

ହେବାରୁ ତାଙ୍କ ମାନ୍ୟ ବଡ଼

ମୋ ପିତା ଶକ୍ରାଜିତ      ବିନ୍ଧ୍ୟପତିଙ୍କୁ ଏ ତ

ହୋଇଲା ବଡ ଅଲଗଡ଼

ମିତ୍ର ପୂଜି ବୋଇଲେ ଦିଅ ମୋତେ ବର

କନ୍ୟା ଜାମାତା ଦାନ କର

ରୂପ ଗୁଣରେ ଯାର      କି ଉମା ମହେଶ୍ୱର

ନିଊନ ହୋଇବେ ସଂସାର I

 

(୬)

ହସି ବୋଇଲେ ଭାନୁ      ରାଜା ତୁ କି ନଜାଣୁ

ବାତୁଳ ପରା କି ହୋଇଲୁ

ସ୍ୱୟମ୍ଭୂ ଆଦ୍ୟାଶକ୍ତି            ତାଙ୍କୁ ଟାଳିବା ମତି

ବିଚିତ୍ର ବର ମନାସିଲୁ ରେ

ସ୍ୟମନ୍ତକ ଦୁର୍ଲ୍ଲଭ ନିଧି ଦେଲି ତୋତେ

କୋଟି ବାଞ୍ଚାବଟର ଯେତେ

ମହିମା ତୋତେ ଜଣା      ତାଠାରୁ ଏ ଫୁରୁଣା

ପୂଜ ଏହାଙ୍କୁ ବିଧିମତେ I

 

(୭)

ମଣି ପ୍ରଭାରୁ ଜାତ            ଚିନ୍ତାମଣି ଦଇତ

ମୋ ଜ୍ୟୋତି ଜଗତେ ବିଦିତ

ଧନ ମାନ ବିଦ୍ୟାରେ      କୁଳଶୀଳ ବିଚାରେ

ଦ୍ରୌପଦୀ ଅତି ଅକିଞ୍ଚିତ

ପଟାନ୍ତର ତାହାର ହେଲା ମୋ ଆଗର

ମୋ ଦମ୍ଭ ତରୁ ଟାଳିବାର

ଆସି ବଡଠାକୁର      କରନ୍ତୁ ସୁବିଚାର

ତାବତ ହେଲି ନିରାହାର I

 

ଗ୍ରନ୍ଥରେ ବର୍ଣ୍ଣିତ ଦୃଷ୍ଚାନ୍ତଯୋଗ୍ୟ ଘଟଣାରୁ ଭାବ ବିଚାର କର I

 

୧I ଅଙ୍ଗୁଳିରୁ ରକ୍ତ ଶୋଷଣ I

 

୨I କାମ୍ୟକବନେ ଶ୍ରୀକୃଷ୍ଣଙ୍କୁ ଉଚ୍ଛିଷ୍ଟ ଅଧରଲଗ୍ନ ଶାକ ଖୋଇବା I

 

୩I କୃଷ୍ଣଙ୍କର କଣ୍ଠ ସ୍ୱର ଶୁଣି ଉଲଗ୍ନା ଧାଇଁ ଆସିବା I

 

୪I ସଭାସ୍ଥଳେ କାତରେ ହୃଦୟ ବଲ୍ଲଭ ବୋଲି ଡାକିବା I

 

୫I ମାର୍କଣ୍ଡେୟଙ୍କୁ ବସ୍ତ୍ରହୀନ ଦେଖି ବସ୍ତ୍ର ପିନ୍ଧାଇବା I

***

 

ଦ୍ୱିତୀୟ ଛାନ୍ଦ

(ରାମକେରୀ)

 

ଦଇବେ ବସନ୍ତ ଉତ୍ସବ ଦ୍ୱାରକାରେ ଚାଲିଛି ।

ଦେହଳୀରେ ଦୀପାବଳୀର ଆଭା ମଣ୍ଡି ଯାଇଛି ।।

 

ନୀଳାମ୍ବୁଧି ଜଳକଲ୍ଲୋଳେ କେତେ ରଙ୍ଗ ବୋଇତ ।

ଉଠୁଛି ପଡୁଛି ଖେଳୁଛି ମଣି ରତ୍ନ ଖଚିତ ।।

 

ହରିତ ପୀତ ଲୋହିତର କେତେ ରଙ୍ଗ ପତାକା ।

ଲତା ପଲ୍ଲବର ତୋରଣ କେତେ ଭାସେ ଶଳାକା ।।

 

ଉନ୍ମାଦ ଜଳକେଳୀ କାହିଁ ମଲ୍ଲବଳ ସଂଗ୍ରାମ ।

କାହିଁ ଲକ୍ଷ୍ୟବେଧ ଜାଙ୍ଗଳୀ ଇନ୍ଦ୍ରଜାଲ ଲଲାମ ।।

 

ରସନା ସ୍ୱାଦୁ ରସାୟନ ବିବିଧ ଉପଚାର ।

ଠାବ ଠାବ କିଣାବିକାର ଉପହାର ସମ୍ଭାର ।।

 

ହେମ ଚନ୍ଦ୍ରାତପ ମଣ୍ଡପ ଗଜଦନ୍ତ ପଲଙ୍କ ।

ଅଳକା ପୁରୀକି ସତେକି ଲେପାଇଛି କଳଙ୍କ ।।

 

ବିପଣି ବସିଛି ବେଳାରେ ଉତ୍ସବର ମେଳାରେ ।

ଭାସୁଛି ରାଜଧାନୀ ଆଜି କଉତୁକ ଭେଳାରେ ।।

 

ସିକତାମୟ ରଙ୍ଗ ଭୂମି ମଧ୍ୟେ ମୁକୁତା ସ୍ତମ୍ଭ ।

ସ୍ଫଟିକ ଇନ୍ଦ୍ର ନୀଳମଣି ମରକତ କଦମ୍ବ ।।

 

ଆଜ ନାହିଁ କିଛି ବାରଣ ମହା ପରବ ଦିନ ।

କି ପରିଚାର ପରିଜନ ଗୁରୁ ଲଘୁ ସମାନ ।।

 

କବି ଭଟ୍ଟାରକ ସାମନ୍ତ କେତେ ବିବୁଧ ଜନ ।

ବିଶେଷେ ବେଢିରହିଛନ୍ତି ଯେତେ ପ୍ରାପ୍ତଯୌବନ ।।

 

ଶିଖରେ ନାଚୁଛି ନର୍ତ୍ତକୀ ଲୀଳାୟିତ ନୟନ ।

କଟାକ୍ଷେ ଛାଟୁଛି ଚତୁରୀ କଉତୁକ କଷଣ ।।

 

ଚେଳାଞ୍ଚଳ ଚାଳନଛଳେ ଛଇଳୀ ଛନ୍ଦାଇଲା ।

ଊଋ ଉରଃ ଭୂରୁ କରଜେ କେଳି ସଙ୍କେତ କଲା ।।

 

ଘନଜଘନ ପୀନପୟୋ ଧର ଚମକାଇଲା ।

ମନମଥ ଶିକୁଳିଲେ କି ମନ ହାତୀ ବାନ୍ଧିଲା ।।

 

ଗ୍ରୀବା ଚିବୁକ ଭୂରୁ ତଳେ କଟି କୋଟର ଦେଶେ ।

କୁକ୍ଷୀତଳେ ବେଣୀ ସଙ୍ଗତେ ରସିକ ମନ କଷେ ।।

 

ମୃଣାଳ ବାହୁ ପ୍ରସରାଇ ଦେଲା ଚକା ଭଁଉରୀ ।

ଘାଘାରା ଘୂରିଲା ଚୌଦିଗେ କାମଚଣ୍ଡୀ କାଉଁରୀ ।।

 

କାନ ଅତରା ଧସାଇଲା କେତେ ତାଳି-ଚାପୁଡ଼ା ।

କାମ-ପ୍ରପଞ୍ଚ-ପରମାଦ ଦମ୍ଭ-ବ୍ୟାଳ ହୁରୁଡ଼ା ।।

 

ମର୍ଦ୍ଦଳ ମଞ୍ଜୀର ମୁରଲୀ ବିପଞ୍ଚିର ସଂଗୀତେ ।

କଉତୁକ ସିନ୍ଧୁ ଗରଜିଲା ରୂପସୀର ଇଙ୍ଗିତେ ।।

 

ମୁକ୍ତ ବାତାୟନ ଅୟନେ ଚାହିଁ ପୁର ଲଳନା ।

ଦେଖୁଥିଲେ ଏହି ଉତ୍ସବ କେତେ ବରବରନା ।।

 

ଚକିତେ ଚମକି ଶୁଣିଲେ ଶଙ୍ଖ ଭେରୀ ଗର୍ଜନ ।

ଫୁଟିଲା ରାଜନବରରେ କେତେ ହାବେଳୀ ବାଣ ।।

 

ପଦାତି ରଥ ଗଜବାଜି କେତେ ଛତ୍ର ତରାଶ ।

ଚାମର ଆଢେଣୀ ପତାକା ନେତ୍ର ମନ ଉଲ୍ଲାସ ।।

 

ଶବଦ ଶୁଭିଲା ବାରୁଣା ବତୁଁ ପର୍ବ ପ୍ରସଙ୍ଗେ ।

ବିଜେ ହେଲେ କୁରୁକମଳା ଜେମା ଭଦ୍ରାଙ୍କ ସଙ୍ଗେ ।।

***

 

ତୃତୀୟ ଛାନ୍ଦ

(୧୨ ଅକ୍ଷରୀ)

 

ସୁଭଦ୍ରା ସଙ୍ଗେ ବିଜେ ପାଞ୍ଚାଳ ଜେମା

ବେଢ଼ି ଅଛନ୍ତି କେତେ ଯାଦବ ବାମା I

 

ପର୍ବ ସିନ୍ଧୁ ପରାୟେ ଇନ୍ଦୁ ଉଦୟେ

ନାଚିଲା ସୁରଭାବ ମର ହୃଦୟେ I

 

ଭକ୍ତ-ବତ୍ସଳ ଭାବଗ୍ରାହୀ ଠାକୁର

କୈବଲ୍ୟ କଳାନିଧି କେଳିଚତୁର I

 

ଶ୍ରୀକରେ ଚୂତଫଳ ଘେନି ଅଚ୍ୟୁତ

ବୋଇଲେ ଏହା ଠାରେ ଚ୍ୟୁତ ଅମୃତ I

 

କାମ୍ୟକ ବନୁଁ ଏହା ଆଣିଛି ମୁହିଁ

ଏହା ସ୍ୱାଦୁକୁ ବିଶ୍ୱେ ଉପମା ନାହିଁ I

 

ରୁକ୍ମିଣୀ ସତ୍ୟଭାମା ବୋଇଲେ ସତ

ଦ୍ରୌପଦୀ ଭାଗ୍ୟକୁ ଏ ହେଲା ପ୍ରାପତ I

 

ଚତୁର କ୍ଷୁରଧାର ଛୁରିକା ଚାଳି

କାଟୁଁ କାଟୁଁ କାଟିଲେ ନିଜ ଅଙ୍ଗୁଳି I

 

ବହିଲା ଦର ଦର ରୁଧିର ଧାର

ଶ୍ରୀଅଙ୍ଗେ ଲାଗି ଗଲା କାଳ ଘାଉଳ I

 

କି ହେଲା ବୋଲେ ସର୍ବେ ହେଲେ ଚଞ୍ଚଳ

ଅଷ୍ଟ ପଟ୍ଟମହିଷୀ ମନ ବ୍ୟାକୁଳ I

 

ଧାଇଁଲେ ଆଣିବାକୁ ଜୀର୍ଣ୍ଣ ବସନ

ବନୌଷଧି ସଙ୍ଗତେ କରି ବନ୍ଧନ I

 

କେ ଖୋଜେ ଶତବର୍ଗ ହଂସପଦୀକି

କେ ବୋଲେ ସିଝୁ କ୍ଷୀର ପକାଅ ଟିକି I

 

କେ ଗନ୍ତା ଘରେ ଯାଇଁ ଖୋଜିଲେ ଡୋର

ଦୂବ ଘାସ କେ ଆଣେ ବନା ପତର I

 

ପେଡ଼ି କଚାଡ଼ି ଛିଣ୍ଡାକନା ଖୋଜନ୍ତି

କି ଭାଗ୍ୟ ତାହା ପୁଣି ମିଳୁ ନାହାନ୍ତି I

 

ନବାତ ମଧୁ କେହି ମାଈଗୋବର

କେ ବୋଲେ କନାପୋଡ଼ା କେ କନିଅର I

 

କେ ଖୋଜେ କଳା ବନସାରୁ ପତର

ସର ଘରିଆଙ୍କର ଧାଆଁ ଧାପଡ I

 

ଖୋଜିଲେ ନାନାମତେ ବନ ଔଷଧ

ପ୍ରଣୟ ତୁଳିବାକୁ ଲାଗିଛି ଦ୍ୱନ୍ଦ I

 

ଆସି ଦେଖିଲେ ଯାହା ଘୂରିଲା ମଥା

ଦ୍ରୌପଦୀ ତୁଟାଇଛି ସକଳ ବ୍ୟଥା I

 

ଶୋଷି ନେଇଛି କ୍ଷତ ରୁଧିରମାନ

ଫାଡ଼ି ଦେଇଛି ନିଜ ପିନ୍ଧା ବସନ I

 

ଭିଡ଼ି ଦେଲାଣି କ୍ଷତ କରି ବନ୍ଧନ

ଚିନ୍ତାମଣିଙ୍କ ମନ ଅଛି ପ୍ରସନ୍ନ I

 

ଲଜ୍ଜାରେ ପୋଡ଼ି ଗଲେ ଚନ୍ଦ୍ରମା ମୁହିଁ

ସରମେ ତୁଙ୍ଗ ମଥା ପଡିଲା ନଇଁ I

 

ଗର୍ବପର୍ବତ ରସାତଳେ ବୁଡ଼ିଲା

ଶକ୍ରାଜିତ ଜେମାଙ୍କ ବୁଦ୍ଧି ହୁଡ଼ିଲା I

 

ଦ୍ରୌପଦୀ କର ଧରି ବୋଇଲେ ସତୀ

ବୁଝିଲି ସତ୍ୟ ସତ୍ୟ ତୁ ଭାଗ୍ୟବତୀ I

 

ଆଜିଠୁଁ ହେଲୁଁ ଗୁରୁରାଣୀ ମୋହର

ପ୍ରେମ ମହା ସମ୍ପଦେ ତୁ ରତ୍ନାକର I

 

ପ୍ରେମାର୍ଥ ଚିନ୍ତାମଣି ରତନ ପାଇ

ପ୍ରେମ ବୋଲି ଦରବ ଚିହ୍ନିଲି ନାହିଁ I

 

ଚନ୍ଦନ ଭାରବାହୀ ରାଷଭୀ ହେଲି

ପଙ୍କଜବନେ ଯଥା ଖେଳେ ଦର୍ଦ୍ଦୁରୀ I

 

ଛେନା-କାକରା-ଛଣା ଛଣା ଚଟୁ ହୋଇଲି

ଚାଟି ଚାଖିବା ସ୍ୱାଦୁ ନାହିଁ ପାଇଲି I

 

ମୋ ମଥାମଣି ତୋତେ ଆଲୋକ ଦେଲା

ଝଟକାଇଲା ମୋତେ ଅନ୍ଧାର କଲା I

 

କି ତପ କରିଥିଲୁ କାହୁଁ ଏ ଭାବ

ତୋ ହୃଦେ ହେଲା ସତୀ କହ ଉଦ୍ଭବ I

 

କି କଥା କହ ଏ କି ହେଲ ବାୟାଣୀ

କାହିଁ କୁମୁଦୀ କାହିଁ ତାରା ରୋହିଣୀ I

 

ରତ୍ନାକର କି କେବେ ତୋଷ୍ସଦ ଠାରେ

କର ପାତିଛି ଏହି ବିଶ୍ୱ ସଭାରେ I

 

କାହିଁ ଜାହ୍ନବୀ କାହିଁ ଶଙ୍ଖ ଉଦକ

ପାରିଜାତକ କାହିଁ ପୁଷ୍ପ ଚମ୍ପକ I

 

ହସି ବୋଲନ୍ତି ଖଳ ଗୋ ମଦିରାକ୍ଷି

ତୁମ୍ଭ ଆମ୍ଭ ବିବାଦ ମେଣ୍ଟିଲାଟିକି ?

***

 

ଚତୁର୍ଥ ଛାନ୍ଦ

(ଚେତି ଚତୁରୀ-ବୃତ୍ତେ)

 

(୧)

ସୁବଳ ନନ୍ଦନ ଅକ୍ଷ ବିଚକ୍ଷଣ

ବଳବନ୍ତ ପଞ୍ଚ ଭାଇଙ୍କି

ହୁଡଡ଼େ ହାରି ପରି-ଚାର କରିବାର

ପ୍ରକଟ ହେଲାଣି ମହୀକି

କହି ସଞ୍ଜୟ ଜାଣିଲି କରମ ପଡ଼ିଲା

କୁଳକ୍ଷୟ କାଳେ କୁଳିଶ ପରାୟେ

କାଳ ଅନଳ ଏ ଜଳିଲା

କହ ବିଧାନ ଏ ବୁଦ୍ଧି କିଏ ଭିଆଇଲା !

ଅକ୍ଷ ନୁହେଁ କୁରୁକୁଳ ପରିପନ୍ଥୀ

ମାନଙ୍କର ପକ୍ଷ ବଢିଲା I

 

(୨)

ଋଷଭ ପରାଏ ଗର୍ଜନ ଶୁଭିଲା

ଜନମ ଦିନ ଏ ଖଳର

କୁଳକ୍ଷୟକୁ ଏ କାଳ ଉପୁଜିଲା

କୁଳରକ୍ଷା ଲାଗି ସଂହର

 

 

ବୋଲି ବିଦୁର କହିଲା ଯେତେ ପରକାର

କାଳମାୟା ଆସି ହୃଦୟ ଗ୍ରାସିଲା

ଜନ୍ମିଲା ବାତ୍ସଲ୍ୟ ବିକାର

ଆଜି ଭାବୁଛି ଏ ବୟସେ ହେଲା ଏମାନ

କୁରୁପଦ୍ମବନ ବିନାଶନ ପାଇଁ

ହିମଋତୁ ହେଲା ନନ୍ଦନ ।

 

(୩)

ଚକ୍ଷୁହୀନ ହୋଇ ଅନ୍ଧ ହୋଇବାରୁ

ବାସ୍ତବେ ନଥିଲି ରାଜନ

ରାଜଦଣ୍ଡ ରାଜଛତ୍ର କିରୀଟକୁ

ପଣ୍ଡୁ କରୁଥଲା ଶାସନ

ତେଣୁ ବିଚାରେ ସେ ଦିନରୁ ସୂତ୍ର ଛିଣ୍ଡିଲା

ଜ୍ୟେଷ୍ଠ ଅଂଶ ବୋଲି ରାଜା ହେବା ଆଶା

ଦୁର୍ଯ୍ୟୋଧନ ବୁଦ୍ଧି ହୁଡ଼ିଲା

ପୁଣି ବିଶେଷେ ଯୁଧିଷ୍ଠିର ଶ୍ରେଷ୍ଠ ହୋଇଲା

ଭୀମ ଅର୍ଜୁନଙ୍କ ବାହୁ ବିକ୍ରମରେ

ରାଜସୂୟ ଯଜ୍ଞ କରିଲା I

 

 

(୪)

ବାରଣାବତର ତୋରଣ ପ୍ରାଙ୍ଗଣେ

ସ୍ଫଟିକ ପଙ୍କଜ ଦେଖିଲା

ଜଳ ଭ୍ରମେ ସ୍ଥଳେ କାରୁବିମ୍ୱ ଦେଖି

ପରଶ୍ରୀକାତର ହୋଇଲା

ଗନ୍ତାଘରର ମେରୁ ପ୍ରାୟେ ରତ୍ନ ସମ୍ଭାର

ଭାନୁ ଶଶୀ ଯାଙ୍କ ପ୍ରଭାରେ ମଳିନ

ସେମାନେ ପାଦ ପୂଜିବାର

ଦେଖି ଖୋଜିଲା ଗାତ୍ର ଦାହୁଁ ମୁକ୍ତି ଲୋଡ଼ିଲା

ଶକୁନି କୁକ୍ଷଣେ କି ମନ୍ତ୍ର ଫୁଙ୍କିଲା

ମୋ ବଂଶ ଶ୍ମଶାନେ ଲୋଟିଲା ।

 

(୫)

ଖାଣ୍ଡବ ଦହନେ, ସୁଭଦ୍ରା ହରଣେ

ମୟ ଦାନବଙ୍କ ତୋରଣେ

ପାଞ୍ଚାଳ ପ୍ରାସାଦେ ଦ୍ୱନ୍ଦ ଲକ୍ଷ୍ୟ ବେଧେ

ବୃକୋଦରେ ଗର ପ୍ରଦାନେ

ବୁଝି ନାହିଁକି ବିଜୟ ସତ୍ୟର ନିଶ୍ଚିତ

ବ୍ରାହ୍ମଣ ଆରତ ଖଣ୍ଡିବା ପାଇଁ କି

ବକ ରାକ୍ଷସକୁ ନିହତ

ସେହି ପୁଣ୍ୟରେ ସହାୟ ପ୍ରଭୁ ଚକ୍ରପାଣି

ନରଦେହେ ଚେଦୀଶ୍ୱରଙ୍କୁ ଛେଦାଇ

ଦ୍ୱାରକା ଠାକୁର ସେ ପୁଣି ।

 

(୬)

ଶତଶିଷ୍ୟ ମେଳେ ଦୁର୍ବାସା ମିଳିଲେ

କାମ୍ୟକ ବନେ ଆଚମ୍ବିତେ

“ସମ୍ବର୍ଦ୍ଧନା କର ଅତିଥି ମା’ ତୋର

ଚଳିଲୁଁ ସିନାନେ ତ୍ୱରିତେ”

ପୁଣି ସେ ଦିନ ପାଣ୍ଡବେ ନ ଥିଲେ ସେ ଥାନ

ଭାଗ୍ୟେ ଥିଲା ଏହା, ବୋଲି ବରାରୋହା

ଡାକିଲା କାହିଁ ଭଗବାନ !

ଆର୍ତ୍ତତାରଣ ! ରଖ ରଖ ମୋ ସମ୍ମାନ ।

 

(୭)

“ସାରିଛ ଭୋଜନ, ଅର୍ଘସ୍ଥାଳୀ ଶୂନ୍ୟ

ଯାହା ଅଛି ଦିଅ ଏକ୍ଷଣ”

ପାଞ୍ଚାଳୀ ଦଶନ-ସନ୍ଧିଗତ-ଅନ୍ନ

କରିବାରୁ ସ୍ନେହେ ପାରଣ

କେଶବଙ୍କୁ ଏ ତୃପତିରେ ବିଶ୍ୱ ଭରିଲା

ପରିପୂର୍ଣ୍ଣ ସ୍ନାନସ୍ଥଳେ କ୍ଷୁଧାତୁର

ଆହାରେ ଅରୁଚି ଜନ୍ମିଲା,

କ୍ଷମଙ୍କରୀର ଶିରେ ଶୁଭାଶିଷ ଝରିଲା ।

 

(୮)

ଧର୍ମ ଧାର୍ମିକଙ୍କୁ, ରକ୍ଷା କରିବାକୁ

ଅଲକ୍ଷ୍ୟେ ରହିଛି ଜାଗ୍ରତ

ପଶୁବୁଦ୍ଧି ପଶୁବିକ୍ରମ ବଡ଼ିମା

ଅବଶ୍ୟ ହେବ ପଦାନତ

ହିଂସା ଈର୍ଷାର ଆତ୍ମଘାତୀ ଫଳ ମୁକର

ଶତଶିଖ ହୋଇ ବଂଶକୁ ଘାରଇ

ଦୂଷିତ ଶୋଣିତ ସଞ୍ଚାର

ତେଣୁ ଭାବୁଛି ସେ ପାପ ମୋ ପୁରେ ଉଣ୍ଡୁଛି ।

 

(୯)

ଏକାଳେ ଅଟ୍ଟହାସ୍ୟ ଉଛୁଳିଲା

ବୁଝିଲେ ନୂତନ ପ୍ରମାଦ

“ମହିଷ ଗୋଠରେ ମହିଷୀ ରଖିଲେ

ଘଟିବକି କିଛି ବିଷାଦ !

ନତ ମସ୍ତକେ ଅଛନ୍ତି ସତ୍ୟ ଅବତାର

‘ରାଗିଲେ କି ହେବ ବାବୁ

ଭୀମସେନ ନନାଙ୍କୁ ଉତ୍ତର ପଚାର’

ବୋଲେ ଶକୁନି ‘ରଖ ରଖ ପୀଢ ନୂତନ

ପାଞ୍ଚାଳୀ ଛଡ଼ା ତ ଦେଖୁନାହିଁ କିଛି

ଥିବାର ପୀଢ ଉପାଦାନ।’

 

(୧୦)

‘ଆଚ୍ଛା କଥା ମାମୁଁ କହିଲ’ ବୋଲି

ସେ ଜଗତୀରୁ ଡେଇଁ ପଡ଼ିଲା

ପଞ୍ଚଭର୍ତ୍ତା ଯାର ଷଷ୍ଠ ଦେଖିବାକୁ

ଏ ବୟସେ ଆଶା ବଳିଲା !

ମନଗୋବିନ୍ଦ ବୋଲୁ ବୀର କେଶ ଫୁଲାଇ

ପ୍ରଳୟ ତୋଫାନ ଗ୍ରାସିବ ବୋଲି

କି ଶ୍ୱାସହୀନ ହେଲା ଏ ମହୀ

ଥରି ଆତଙ୍କେ ଦୀପାବଳି ହେଲେ ମଳିନ

ଚିତ୍ର ପିତୁଳା ପରାୟେ ଭୀଷ୍ମଦ୍ରୋଣ

କୃପାଚାର୍ଯ୍ୟ ଛନ୍ତି ମଉନ ।

 

 

(୧୧)

କି ହେଲା କି ହେବ ନାଲି ସାବିଜୀକି

କେ ଚାହେଁ ହଳଦୀ କାଳିକି

ଛକ୍କାପଞ୍ଚା ବାନ୍ଧି ଯୁଗ ଚାଲୁଛନ୍ତି

କେ କାହାକୁ ଯିବ ବଳିକି

ଅଡ଼ି ରଖାଇ କେ ଛପିଛି ପିଠି ଦେଖାଇ

ଗୋଟି ଗୋଟି ହୋଇ ଘରେ ପାଚିବାରୁ

କେ ମାରୁଛି ଦାନ ଉଠାଇ

ଆଚମ୍ବିତରେ ଶକୁନିର ହାତ ଫିଟିଲା

ଯେତେ ଗୋଡ଼ାଇଲେ, ଦୋହାତି ଖେଳରେ

ପାଞ୍ଚାଳୀ କରମ ପୋଡ଼ିଲା ।

 

 

ଏଠାରେ ଦୁଇ ଅର୍ଥ-ମହୀଶ-ରାଜା, ମହିଷ-ପଶୁ

 

(୧) ଭୀମଙ୍କୁ ମହିଷାଳ ଚାକିରୀରେ ରଖେଇଲେ କିଛି ବାଧା ଅଛିକି ?

 

(୨) ରାଜାମାନଙ୍କ ମଧ୍ୟରେ ତୁମ ମହାରାଣୀଙ୍କୁ ଛାଡିଲେ କିଛି ବାଧା ହେବ କି ?

***

 

ପଞ୍ଚମ ଛାନ୍ଦ

(କାଳିଆ କମଳ-ବୃତ୍ତେ)

 

(୧)

ଦାବାନଳ ପରା ଦାରୁଣ ବାରତା

ହସ୍ତିନା କଟକେ ଖେଳିଗଲା

ଦମ୍ଭୋଳି ସତେ କି ଦମ୍ଭେ ଖସି ଆସି

ଦେଉଳ ଦିହୁଡ଼ୀ ଧସାଇଲା

ଉଭା ଅନ୍ତଃପୁରେ,ସୂତ ଯାଜ୍ଞସେନୀ ଶ୍ରୀଛାମୁରେ

ସେତ ବୟୋବୃଦ୍ଧ ରାଜନୀତିସିଦ୍ଧ

ବ୍ରହ୍ମଜ୍ଞ ବିବୁଧ ଏ ମଣ୍ଡଳେ

ବୋଲେ ‘ ଆୟୁଷତୀ ସଭା ସ୍ଥଳେ ବିଜେ ହୁଅ ସତୀ

ସୋଦର ସାମ୍ରାଜ୍ୟ ହାରି ଧର୍ମରାଜ

ହାରିଲେ ତୁମ୍ଭକୁ ଗୁଣବତୀ ।’

 

(୨)

‘ଶୁଣିଛି ସକଳ ପ୍ରବନ୍ଧ ଜଟିଳ

ସଭାସ୍ଥଳେ ଯାହା ହୋଇଛଇଁ

ଧର୍ମରାଜଙ୍କର ଧର୍ମରକ୍ଷାପାଇଁ

ତହିଁକି ମୋର ଶୋଚନା ନାହିଁ

ସଭା ଉପଦେଶ ଟାଳିବାକୁ ତିଳେ ନାହିଁ ଆଶ’

ଯହିଁ ପିତାମହ ପିତାଗୁରୁ ଦ୍ରୋଣ

ପ୍ରଥିତଯଶାଙ୍କ ପରକାଶ

ଆହେ ବିଜ୍ଞବର ସୁଜ୍ଞାନ ଥିଲେ ତ ଯଶୋଧର ?

ପତ୍ନୀ ପଣ ଦେଇ ପଶା ଯେ ଖେଳନ୍ତି

ବିକୃତ ତା’ ଠାରୁ ମଥାକାର !

 

 

(୩)

ରାଜା ରାଜାଙ୍କର ସଂଗ୍ରାମ ହୁଅଇ

ଚିରଦିନ ଅଛି ଏ ବିଧାନ

ବୁଦ୍ଧି ବଳେ ଅବା ବାହୁବେଳେ କିଣି

ବିଜୟୀ ହୁଅନ୍ତି ଭାଗ୍ୟବାନ

ନୀତି ଶାସ୍ତ୍ର ବାଣୀ ସମସ୍କନ୍ଧେ ଯୁଦ୍ଧ ଅଛି ଜାଣି

ସୁଯୋଧନ ଧର୍ମରାଜଙ୍କ ବିଗ୍ରହେ

ଶକୁନି କାହୁଁ ଆସିଲେ ପୁଣି

ତେଣୁ ପୁଚ୍ଛ ଯାଇଁ ନିଜେ ସୁଯୋଧନ ଥିଲେ କାହିଁ ?

ପ୍ରତିଭା ଯୁଦ୍ଧରେ ପ୍ରତିନିଧି ଦେବା

ବିଧାନ ସମୀଚୀନ କି ନାହିଁ ।

 

(୪)

ଆଗେ ଧର୍ମରାଜ ପରିଚାର ହୋଇ

ପଶ୍ଚାତେ ପୀଢ ରଖିଲେ ମୋତେ

ରାଜା ସଙ୍ଗେ ଭୃତ୍ୟ ପ୍ରତିପକ୍ଷ ହେବା

ହୋଇଲା କି ଏହା ନ୍ୟାୟ ମତେ ?

ପୀଢ଼ ରଖିବାର ଥିଲାଟିକି ତାଙ୍କ ଅଧିକାର ?

ପରବଶଜନ ସାଧାରଣ ଧନ

ପଣ ରଖିଲେ ହୁଏ କି ସାର ?’

ବୋଲେ ଦ୍ୱିଜବର ‘ଯଥାଯଥ ଦେବି ସମାଚାର

ପଦ୍ମତୋଳାରେ ନାଗ ଶିଶୁ ନାଚନ୍ତି

ନାଚନ୍ତି କି କାହିଁ କାଣିନଳ !’

 

(୫)

ଚାହିଁ ଚମକି ବୋଇଲା କାହିଁ ଗଲା

ଉଦ୍‍ବେଗ ପୁଛିଲା ଦୁଃଶାସନ

ସୂତ ଯଥାଯଥ ବାରତା କହନ୍ତେ

କ୍ରୋଧେ ଜରଜର ସୁଯୋଧନ

ବୋଲେ ଅକାରଣ ଏକାଳେ କହିବା ଯୁକ୍ତିମାନ

ଧର୍ମରାଜ ବୋଲି ବୋଲିଥାନ୍ତି ଯାଙ୍କୁ

କରନ୍ତୁ ସେ ଏଥି ସମାଧାନ

‘ମାମୁ, ଏ କି ହେଲା ?’ ଖଳ

ଦୁଃଶା ମଥା ଘୁମାଇଲା

‘କି ଖାଇବ ସେଥୁଁ, ଖୋଜିଲେ କି ହେବ

ରଖିଛି କି କାହିଁ ଗଣ୍ଠି ଢିଲା’ ।

 

(୬)

ତେଣେ ମଥା ହାଣି ପାଞ୍ଚାଳୀଙ୍କ

ପଞ୍ଚଭର୍ତ୍ତା ବସିଛନ୍ତି ସଭାସ୍ଥଳେ

ଭାନୁଠାରୁ ଭାନୁ କିରଣେ ତପତ

ମରୁବାଲି ବତ ଖଳ ବୋଲେ

‘ପରା ପାଞ୍ଚାଳୀର ଶୁଣିଛୁ ରୁଚିର ପୟୋଧର

କୁନ୍ତଳ ନୀରଦ ପଟଳେ କଟାକ୍ଷ

ତଡିତ ଖେଳିଲେ ଏକାକାର

ଘନ ଜଘନାକୁ ଉପମା ଦେବାକୁ କାର ବୁକୁ !

ମାନଗୋବିନ୍ଦ ମତ୍ତଗଜ ବିନା କେ

ଆନ ଭାଜନ ତା’ କଳିବାକୁ ।’

 

(୭)

ଦେଖି ପେଡ଼ି ନାଗ ଦର୍ଦ୍ଦୁର ଦର୍ପରେ

କରୁଥାଏ ଯଥା ଉତୁପାତ

ନଖର ଦୃଷ୍ଟି ବିହୀନ ମାର୍ଜାରକୁ

ମୂଷିକ କରନ୍ତି ପଦାଘାତ

ଶୁଣି ବୃକୋଦର କ୍ରୋଧେ ଜରଜର କଳେବର

ଧିକ ମୋର ଏହି ଗଦା, ବସୁଧାକୁ

ଚମକାଉ ଥିଲା ଥର ଥର

ଧିକ ସବ୍ୟସାଚୀ ଦେରେ, ସେ ବାହୁକୁ ପକା ଚାଞ୍ଛି !

ଧିକ ନକୁଳ ସହଦେବ ତୁମ୍ଭର

କୋଦଣ୍ଡେ ନମଲେ ମଶା ମାଛି !

 

(୮)

କହିବାର ଯାହା କହୁ ସେ ସଭାରେ

ନିଜେ ବିଜେ ହୋଇ ଏହି ସ୍ଥାନେ

ନୁହେଁ କୁଳ ବାଧ, କୁଳଟା କାମିନୀ

ତା’ ଠାରେ ମମତା କି କାରଣେ

‘ଯାଅ ଦୁଃଶାସନ ଭୀମକୁ ଡରନ୍ତି ପରିଜନ

ପରିଚାରିକା ପରାଏ ବସି ଏହିଁ

ମାଜୁ ଶଙ୍ଖୁଡା ବସନମାନ

 

 

 

 

 

ବୋଲୁଁ ‘ଅସଙ୍ଗତ’. ବିଦୁରଙ୍କୁ କଲେ ମର୍ମାହତ

‘ଥାଉ ଥାଉ ତୁମ୍ଭ ଧର୍ମ ବୁଜୁଳିର

ମହିମା ହୋଇଛୁ ଅବଗତ’ ।

***

 

ଷଷ୍ଠ ଛାନ୍ଦ

(ଦ୍ୱାଦଶାକ୍ଷରୀ)

 

ଝପଟି ଗଲା ଖଳ ଯହିଁ ପାଞ୍ଚାଳୀ

ଦେଖିଲା ଦ୍ୱାର ମୁଦା ଲୁହା ଶିକୁଳି ।

 

ସ୍ଫଟିକ ମଣି ରତ୍ନ ଖଚା କପାଟ

ବିଦ୍ଧା ଗୋଟାକେ ତାର ତୁଟିଲା ଆଣ୍ଟ ।

 

ବଜ୍ର ନିନାଦେ ମହୀ ତଳେ ଲୋଟିଲା

ପରିଚାର ଜନଙ୍କ ଚେତା ବୁଡ଼ିଲା ।

 

ଅଙ୍ଗବାତ ଆଘାତେ କାରୁ ପ୍ରତିମା

ଝରି ପଡିଲା କେତେ ନାହିଁ କଳନା !

 

କାଞ୍ଚନ, ମଣିରତ୍ନ ମୁକୁତାମାନ

ବିଛୁଡ଼ି ଗଲା ରେଣୁ ରେଣୁ ପ୍ରମାଣ !

 

ଧାଇଁ ବୋଇଲେ କୁନ୍ତୀ ‘ କି କର ବାବୁ’

‘ଛାଡ଼ ଛାଡ଼ ସେ ଆଶା ଶୁଣିଛି ସବୁ’ ।

 

ବୋଲି ଖୋଜିଲା ଯେତେ ଗୃହ ପ୍ରାଙ୍ଗଣ

ଦଳି ଚକଟାଇଲା ପୁଷ୍ପ ଉଦ୍ୟାନ ।

 

ପାଦଭରେ କମ୍ପିଲା ଅଟ୍ଟାଳିଧ୍ୱଜା

ବିଜେ ହୋଇଲି ରାଜା ବଜାଅ ବାଜା ।

 

ରୁଚିର ଚିତ୍ରପଟ ଝାଲେରୀମାନ

ଯେ ଥିଲେ ମରକତ ସ୍ତମ୍ଭ ମଣ୍ଡନ ।

 

ଇନ୍ଦ୍ର ନୀଳଣିର ବିଲୋରି ହଣ୍ଡା

ଧମସେ ଖସାଇଲା ଗଣ୍ଡାକୁ ଗଣ୍ଡା ।

 

କମ୍ପୁଛି କ୍ରୋଧେ ଅଙ୍ଗ ମନ୍ଦାର ଆଖି

ଅବଜ୍ଞା କଲୁ ଏଡ଼େ ଦମ୍ଭ କାହିଁକି ।

 

ଦେଖିଲା ଦୂରେ ପୁର ବାଳା ଗହଣେ

ପାରିଜାତ କି ଲୁଚେ ପୁଷ୍ପ ଉଦ୍ୟାନେ ।

 

ନାଗବଲ୍ଲୀ ପରାୟେ ଥରୁଛି ଅଙ୍ଗ

ତଥାପି ଖେଳୁଥିଲା ଜ୍ୟୋତି ତରଙ୍ଗ ।

 

ମୂର୍ତ୍ତିମତୀ ପୂଣ୍ୟର ପିତୁଳା ପରି

ଧୀର ସ୍ଥିର ଗମ୍ଭୀର ଶାନ୍ତ ଶର୍ବରୀ ।

 

ଢାଙ୍କୁ ତମସା ପଛେ ବିବଶା-ଛାୟା !

ମଳିନ ହୋଇଛି କି ପରଶ କାୟା !

 

ବିନୟେ କହିଲେ ସେ ଯେତେ ବଚନ

ତସ୍କର ଶୁଣଇ କି ଧର୍ମ ପ୍ରମାଣ ।

 

ବୃଥା ଟାଳିଲେ ଫଳ ନାହିଁ ସୁନ୍ଦରୀ

ରକ୍ଷା କରିବେ କି ଏ କୁନ୍ତୀ ଗାନ୍ଧାରୀ ?

 

ନୀତି ଅନୀତି କିଛି ଶୁଣିବି ନାହିଁ

ବଇରୀ ସଙ୍ଗେ ବାର ବିଚାର କାହିଁ ।

 

ଅଭବ୍ୟ ରଙ୍ଗରସ ସୁରା ମୃଗୟା

ରାଜ୍ୟ ବ୍ୟସନ ଦ୍ୟୂତ ଏଥି କି ମାୟା ।

 

ସ୍ୱଭାବେ ରତ ହେବା ଅଛି ବିଧାନ

ରାଜାମାନଙ୍କୁ ଏହା ନୋହେ ବାରଣ କାହିଁ କି ?

 

ଯତି ବିବୁଧ ଖଳ ତସ୍କର କେହି

କିରାତ ଶିଶୁ ପଶୁ କି ଦେବ ଦେହୀ ।

 

ସର୍ବ ଶ୍ରେଣୀ ଲୋକଙ୍କ ସଂଶ୍ରବେ ଥାଇ

ପ୍ରଜାପାଳନେ ଯେହୁ ପରାଣ ଦେଇ ।

 

ସ୍ୱକାର୍ଯ୍ୟ ସାଧନରେ ରାଜନୀତିକି

ନିନ୍ଦ ପଛକେ ନେବି ସବଳେ ଝିଙ୍କି ।

 

ରାଜନୀତି ନୁହଇ ଯତି ଆଚାର

ବ୍ୟସନ କାଳେ ନାହିଁ ଧର୍ମବିଚାର ।

 

ଦୁର୍ଲ୍ଲଭ ଧନ ସୁର ନର ପାତାଳେ

ଆୟତ୍ତ କଲୁ କୂଟନୀତି କୌଶଳେ ।

 

ଯେ ଭୀମ ବାହୁବଳେ ଦମ୍ଭ ତୁମ୍ଭର

ଖନ୍ଦାଶାଳକୁ କାଠ ଦେବେ ଏଥର ।

 

ଜରାସନ୍ଧ ହିଡ଼ିମ୍ବ ନିଧନକାରୀ

ପାଦତଳେ ଖଟିବେ କିଙ୍କର ପରି ।

 

ଥରେ ଗରଳ ଗିଳି ବଞ୍ଚିଯିବାରୁ

ଭାବିଲା ଦୂବ ପରା ହୋଇଲି ଦାରୁ ।

 

ନୂତନ କରି ଆଜି ଦେଲୁଁ ଯେ ବିଷ

କ୍ଷଣ କ୍ଷଣକେ ହେବ ସଦ୍ୟ କୁଳିଶ ।

 

ଗାଣ୍ଡିବ-ଧର ସବ୍ୟସାଚୀ ଏଣିକି

ଧୋଇଲେ ବାସନ ସେ ଦେବେ ପାଣିକି ।

 

ପାଞ୍ଚାଳ ଲକ୍ଷ୍ୟବେଧେ ନେଲେ ଯାହାଙ୍କୁ

କିଛି ଯୌତୁକ ସଙ୍ଗେ ଦେବେ ତାହାକୁ ।

 

ରାଜସୂୟ ଯଜ୍ଞର ଅର୍ଘ୍ୟଥାଳିକି

ବୁଦ୍ଧିବଳେ ହରିଲୁଁ କଣ୍ଠ ମାଳିକି ।

 

ଚକ୍ରେ ଛେଦାଇଥିଲ ଚେଦିନାଥଙ୍କୁ

ଚକ୍ରାନ୍ତେ ଛେଦାଇଲୁଁ ପଞ୍ଚଭ୍ରାତଙ୍କୁ ।

 

ତୁମ୍ଭ ବିବାହ ଦିନ ଲାଞ୍ଝନା କଥା

ଜତୁ ଗୃହ ଦହନେ ଦେଲ ଯେ ବ୍ୟଥା ।

 

ଦ୍ରୋଣଗୁରୁଙ୍କ ଠାରେ ଶିକ୍ଷା ସଦନେ

ଯେ କୁନ୍ତ ବିନ୍ଧୁଥିଲ କଟୁ ବଚନେ ।

 

ରାଜସୂୟ ଯଜ୍ଞର ସଭା ମଣ୍ଡପେ

ଦହାଇଲ ନନାଙ୍କୁ ଯେଉଁ ସନ୍ତାପେ ।

 

ଗୋଟି ଗୋଟି ସେ କଥା ସେ ଦମ୍ଭମାନ

ବରଛି ମୂନପରା ଘାରୁଛି ମନ ।

 

ଅଭୁକ୍ତ ତୃଷ୍ଣାତୁର ନିରାଭରଣ

ନିରଳଙ୍କାର ନାହିଁ ଯାଙ୍କ ସଂସ୍ଥାନ ।

 

ଦେଖିବ ଚାଲ ତୁମ୍ଭ ଗେରସ୍ତ ଗଣେ

ଭୂମି ଆସନେ’ ଛନ୍ତି ଭୃତ୍ୟ ଗହଣେ ।

 

ଏକାମ୍ବରା ପଛକେ ହୁଅ ସୁକେଶୀ

ଦିଗମ୍ବରୀ ତୁମ୍ଭର ସୌରଭ ରାଶି ।

 

ଦେଖିବା ପାଇଁ କେତେ ମତ୍ତ ମଧୁପ

ଟାକି ଅଛନ୍ତି ତହିଁ ରସ ଲୋଲୁପ ।

 

ମୁକ୍ତ କୁନ୍ତଳ ଶୋଭା ସିକ୍ତ ଶ୍ରୀଅଙ୍ଗ

ଅନଙ୍ଗ ଘାରିବାର ଚାରୁ ଅପାଙ୍ଗ ।

 

ପୀନଜଘନ କଟି ପରିପାଟୀକି

ତଡ଼ିତ ଆଭା ତହୁଁ ଗଲେ ଛିଟିକି ।

 

ବିକଳ କରି ଦେବ କେତେ ନାଟିକି

ଛଳେ ଓଟାରିନେବେ ପୁଷ୍ପବାଟିକି ।

 

ଦେଖିବି କୁଳଟା ତୁ କେତେ ଛଟିକି

ଧରି କୁନ୍ତଳ ଦେଲା ଛାଟିମାଟିକି ।

 

ହରି ହରି କି କଲ ବୋଲି ଆରତେ

ଭାସିଲେ ସତୀ ନୀରଧାର ସରିତେ ।

***

 

ସପ୍ତମ ଛାନ୍ଦ

(ଚୋଖି)

 

(୧)

ଯାହାଙ୍କ ଚାରୁକୁନ୍ତଳ      ଚିକ୍କଣ ଚନ୍ଦ୍ର ମଣ୍ଡଳ

ଆଭାକୁ ଜିଣିଛି ଗଭା ଶୋଭା ସମ୍ପଦ

ବିଷ୍ଣୁ ପଦାରବିନ୍ଦର            ସୌରଭ ମକରନ୍ଦର

ଲଖି ରହିବାର ବୋଲି ବୋଲନ୍ତି ବୁଧ

ମନ୍ତ୍ରପୂତ ଦୁର୍ବା ଅକ୍ଷତ

ଦେବତା ଋଷିଏ କଲେ ଅଭିସିଞ୍ଚିତ ।

ସପ୍ତ ଅମ୍ବୁଧି ଅମ୍ୱୁଦ      ପରମାର୍ଥ ନଦୀ ନଦ

ଜମ୍ୱୁଦ୍ୱୀପେ କମ୍ୱୁଗଦ କଲା ବନ୍ଦିତ ।

 

(୨)

ବଳିଷ୍ଠ କର ନିବେଶି      ସୁକେଶୀ କେଶ ପରଶି

ଖଳଙ୍କ ମଣ୍ଡଳେ ଦମ୍ଭେ ଥୋଇଲା ହସି

ମଳିନ ମୁଖ ଆରସି      ଛବିଳ ଶରଦ ଶଶୀ

ପଣ୍ଡୁର ସିନ୍ଦୂର ଶୋଭା ସୌଭାଗ୍ୟ ରାଶି

‘ଦାସୀ’ ‘ଦାସୀ’ ବୋଲି ଭାଷିଲା

ପ୍ରେତଙ୍କୁ ଲାଗିଲା ପରା ତାଣ୍ଡବ ଲୀଳା !

ବିଦୁର ଭୀଷ୍ମ ଦ୍ରୋଣଙ୍କ      ବୁଜିଲା ନେତ୍ର ପଲକ

ବୁଝିଲେ ବିନାଶବୀଜ ବପନ ହେଲା ।

 

(୩)

ପଚାରିଲା ପ୍ରଶ୍ନମାନ      ନ ହୋଇଲା ସମାଧାନ

ହସ୍ତିନାରୁ ବୁଡ଼ିଲା କି ନ୍ୟାୟ ବିଧାନ

ଏକାମ୍ବରା କୁଳବଧୂ      ଲାଞ୍ଛନା ଦେଖିଲ ସାଧୁ

ନିବୀର୍ଯ୍ୟ ହେଲେ କି ସବୁ କ୍ଷତ୍ରିୟଗଣ !

କୁରୁବୃଦ୍ଧ ଗୁରୁ ଦ୍ରୋଣଙ୍କୁ

ଅଭାଗ୍ୟ ଦେଖୁଛି ମୂକ ମୋହ ବେଳକୁ ।

ବୁଝିଲି ଶାସ୍ତ୍ର ସାଧନା      ଅସାର ଧର୍ମ କଳ୍ପନା

ପରାଧୀନ ଜନଙ୍କର ନଥାଏ ବୁକୁ ।

 

(୪)

ଦ୍ୟୂତରେ ପରାସ୍ତ ହୋଇ      ପରବଶ ଥାଇଁ ତହିଁ

ପଣ ଦେବା ପରଧନ ନୁହେଁ ବିହିତ

ପକ୍ଷାନ୍ତରେ ପତି ଜ୍ଞାନେ      ଜାୟ ଠାରେ ପ୍ରଭୁପଣେ

ଯୁଧିଷ୍ଠିର କହୁଛନ୍ତି ହେଲେ ବିଜିତ

ତୁଲ୍ୟବଳ ଉଭୟ କଥା

ବୋଇଲେ ଗାଙ୍ଗେୟ ମାତା ନାହିଁ ମୋ ମଥା ।

ଅଛନ୍ତି ଭୂପାଳ ଗଣେ      ବିବୁଧ ବୀର ସକ୍କନେ

ଦିଅନ୍ତୁ ପାରନ୍ତି ଯେବେ ବିଧାନ ଯଥା ।

 

(୫)

ଶତ ଭ୍ରାତାରେ କନିଷ୍ଠ      ବାଳୁତ ବିକର୍ଣ୍ଣ ରୁଷ୍ଚ

ବୋଲଇଲା ‘ଶୁଣନ୍ତୁ ସର୍ବେ ବିଚାର ସ୍ଥାନେ

ନ୍ୟାୟ ରଖିଲେ ଗୋପନେ      ଭୟେ ଅବା ପ୍ରଲୋଭନେ

ପୁରୁଷାର୍ଥ ଥାଏ ନାହିଁ ମରେ ଅଜ୍ଞାନେ

କହିବ ମୁଁ ଯାହା ବିହିତ

ଦେଖୁଛି ଭୂପତି ଗଣେ ପିତୁଳା ବତ ।

ବ୍ୟସନ ମାତ୍ର ପାତକ      ବିବେକ ବୁଦ୍ଧି ଘାତକ

ଏଥି ଉନୁମତ୍ତ ଥିବା ଜନ ଦୂଷିତ ।

 

(୬)

ଜାଣି କୁନ୍ତୀଙ୍କ ନନ୍ଦନ      ନୁହନ୍ତି ସେ ବିଚକ୍ଷଣ

ଦକ୍ଷ ଅକ୍ଷ ଚାଳନାରେ, ମାତ୍ର ରସିକ

କୌଶଳେ କ୍ରୋଧ ଜନ୍ମାଇ      ସମ୍ପଦ ନେବା ଛଳାଇ

ତୁହାଇ ଖେଳାଇ ତୁଟାଇଛି ବିବେକ

ତେଣୁ ଏ ହୋଇଲା କପଟ

ଛଦ୍ମ ଅନିଷ୍ଟ କଳ୍ପନା ହେଲା ପ୍ରକଟ

ଆଶ୍ରିତ ବାର ବାମାଙ୍କୁ      ପଣ ନାହିଁ ଶୁଣିବାକୁ

ଏ ଦେଲେ ଆପଣା ନାରୀ ସ୍ୱଚ୍ଛଉନ୍ନତ ।

 

(୭)

ପ୍ରଭୁ ପରିଚାରଙ୍କର      ପୀଢ଼ ମାରି ଖେଳିବାର

ଦୁରୋଦର ଅନାଚାର କରେଁ ବିଚାର

ତହଁ ପୁଣି ସାଧାରଣୀ      ପତ୍ନୀ ଥାଇଁ ଯାଜ୍ଞସେନୀ

ପଣ ଯୋଗ୍ୟା ହୋଇ ନ ପାରନ୍ତି କାହାର

ସୁଯୋଧନ ଡକାଇ ଆଣି

ଅନ୍ତରାଳେ ନିଜେ ଥାଇଁ ଦେଲେ ଶକୁନି ।

ସ୍ୱଭାବେ ଉନ୍ମତ୍ତ ଜନ      ବଚନ ନୁହେଁ ଗ୍ରହଣ

ପ୍ରତିଭା ଯୁଦ୍ଧରେ ପ୍ରତିନିଧିତ୍ୱ ପୁଣି ।

 

(୮)

ବାଚାଳ ବାତୁଳ ତୁମ୍ଭେ      ପ୍ରବୀଣ ପରାୟେ ଦମ୍ଭେ

ରାଜନୀତି ଧର୍ମନୀତି କରୁଛ କଛ

ପ୍ରଜ୍ଞାବନ୍ତ ନୃପଗଣ      ଅଛନ୍ତି ନୀତି ନିପୁଣ

ମଉନ ଅଛନ୍ତି ସର୍ବେ ଦେଖୁନା ସ୍ୱଚ୍ଚ

ନ୍ୟାୟରେ ଲଭିଛୁଁ ପାଞ୍ଚାଳୀ

ପାଣ୍ଡବଙ୍କୁ ଦାସକରି ଦେଇଛୁଁ ଦଳି

ରାଧେୟ କହୁଁ ଏ ବାଣୀ      ଝିଙ୍କିଲା ବସନ ଟାଣି

ବିବସନ କଲା ବାଞ୍ଛା ଉଠିଲା ବଳି ।

 

(୯)

ଆତୁରେ କେତେ କାନ୍ଦିଲେ      ନିଜ ଜନଙ୍କୁ ନିନ୍ଦିଲେ

ବୋଇଲେ ନାହିଁ କି ଆଖି ପଣ୍ଡୁ ନନ୍ଦନ !

ନାହିଁ କି ବାହୁ ବିକ୍ରମ      ଏଥିଲାଗି ଏତେ ଢମ

ବିବସନା କରିବାକୁ ଧାଏଁ ଅଧମ

ଧିକ ତୁମ୍ଭ ପୁରୁଷ ପଣ

ଧିକ ରାଜସୂୟ ଯଜ୍ଞ କଲା ପ୍ରମାଣ !

ଅଗ୍ରଜ ବତ୍ସଳ ହୋଇ      କି ଦୁର୍ଲ୍ଲଭ ଯଶ ପାଇଁ

ଯଜ୍ଞୋଦ୍ଭୂତା ଯାଜ୍ଞସେନୀ କଲ ଅର୍ପଣ !

***

 

ଅଷ୍ଟମ ଛାନ୍ଦ

(ରାମଲୀଳା ସ୍ୱର-ଆଡତାଳୀ)

ସୀତା ବିଳାପ-ଛାନ୍ଦ

 

(୧)

ପତଙ୍ଗ ବାନ୍ଧିଲା ମତ୍ତ ମାତଙ୍ଗ ପୟର

କୁସୁମ ବାଣେ ସତେ କି ଟଳିଲା ମନ୍ଦର

କେଶରୀ ହୋଇଲେ ଶଶା ଶବଦେ କାତର

ବୁଡ଼ିଲା ସୋଲ କି ଜଳେ ଭାସିଲା ପଥର !

ଧର୍ମ କି କଲ

ମୃଣାଳ ସୂତ୍ରରୁ ମୃଦୁ ହୋଇଲେ ରସାଳ !

 

(୨)

ଧର୍ମଭୀରୁ ହୋଇଲ କି ହେଲ କାପୁରୁଷ

ଚନ୍ଦନ ତରୁ କି ଶେଷେ ହୋଇଲ ପଳାଶ !

ଖଳୀକାର ହୋଇ ଖଳବ୍ୟାଳର ଗର୍ଜନେ

ଆଉ କେତେ ହେଲେ ହେବ ବସିଲ ମଉନେ

ଧର୍ମରାଜଙ୍କୁ

ଚିହ୍ନାଇ ଦେବି କି ସତ୍ୟ ବ୍ୟାଜକୁ ।

 

(୩)

ଅଗ୍ରଜ ବତ୍ସଳ ଧର୍ମ କରିଛ ଆଶରା

ଫେଡ଼ିଦେଲେ ଜଗତକୁ କୀରତି ପଶରା !

ଭଲ କଲ ପଚାରୁଛି ଦେବ କି ଉତ୍ତର

ସତୀତ୍ୱ ରକ୍ଷଣ ଲାଗି କଲ କି ବିଚାର ?

ବୃକୋଦର ହେ

ଫିଙ୍ଗି ଦେଲ ଗଦା ଶେଷେ ହେଲେ କି କିଙ୍କର !

 

(୪)

ନାଗୁଣୀ ପୁଚ୍ଛକୁ ଧରି ଦର୍ଦ୍ଦୁର ନାଚିଲା

ଗରୁଡ଼ ଆବାସେ କାକୋଦର ଗରଜିଲା

କାହିଁ ସେ ଗାଣ୍ଡିବ ଯାର ଟଙ୍କାର ଶବଦେ

ଚମକାଉଥିଲ ମେରୁ କାହିଁ ମୋ ବିପଦେ !

ସବ୍ୟସାଚୀ ହେ

ଛାଟିଲେ ଏ ମଶାମାଛି ତୁମ୍ଭଙ୍କୁ ବରଛି !

 

(୫)

ଭେଷକ ବିଦ୍ୟାରେ ପରା ତୁମ୍ଭେ ଧୁରନ୍ଧର

ଧର୍ମରାଜଙ୍କର ହେଲା ବିଭ୍ରମ ବିକାର

କୁରୁବଂଶ କୁଳନାଶା ବୁଦ୍ଧି ଉପୁଜିଛି

ଏଥକୁ ଭେଷକ କିଛି ରଖିଛ କି ବାଛି

ମାଦ୍ରିସୁତ ହେ

ଘୂଣ ଲାଗି କୋଦଣ୍ଡ କି ହେଲା ଅପହତ !

 

(୬)

ଶୁଣିଛି ଜ୍ୟେଷ୍ଠ ସନ୍ତାନ ପ୍ରତିଭା ନିଊନ

ଯୌବନ ଲାଳସାଜାତ ନୁହନ୍ତି ନିପୁଣ

ତୁମ୍ଭେ ତ କନିଷ୍ଠ ଥିଲ ତ୍ରିକାଳ ଦରଶୀ

ଜାଣି ଭବିଷ୍ୟତ କିପଁ। ଧରୁନାହିଁ ଅସି ?

ବିଜ୍ଞବର ହେ

କେତେ ଦିନେ ଏ ଲାଞ୍ଛନା ହେବ ପ୍ରତିକାର ।

 

(୭)

‘ନାହିଁ କେହି’ ‘ନାହିଁ କେହି’ ବସନ ଭିଡ଼ିଲା

ଉରଜ ବରଜି ବାସାଞ୍ଚଳ ଖସାଇଲା

ଭାରାକ୍ରାନ୍ତ ନୟନରୁ ଝରୁଥିଲା ବାରି

 

 

 

 

 

କେ ଅଛି ଭରସା ଦେବ ଭାବିଲେ ସୁନ୍ଦରୀ

ହରି ହରି ହେ-ନଳିନ-ନୟନ ନଭେ ଉଠିଲା ସଞ୍ଚରି

କର ଯୋଡ଼ିଲେ- କରୁଣା ସାଗର କଳ ମୋଡ଼ିଲେ ।

***

 

ନବମ ଛାନ୍ଦ

(କୀର୍ତ୍ତନାଙ୍ଗ)

(ପ୍ରଥମ ଅଂଶ ଢୁଆ ତତ୍ପରେ ହରିଚଉତିଶା)

 

(୧)

“ଶରଣ ପଞ୍ଜର      ପୟର କଞ୍ଜର

ମଞ୍ଜୁଳ ମଞ୍ଜୀର ସ୍ୱନ

ଶ୍ରବଣ ଦର୍ଶନ      ମନରସାୟନ

ମକର କୁଣ୍ଡଳ ମାନ

ଦୋଳାଇ ଯେଦିନ      ଗ୍ରାହକୁ ଛେଦିଲ

କି ଥିଲା ଗଜର ଧନ ?

ବିନ୍ଦୁଏ ମାତର      ତରଳ ଲୋତକ

ଟଳାଇଲା ତୁମ୍ଭ ପ୍ରାଣ

ହେ ହରିଝରାଉଛି ଏତେ ଅଶ୍ରୁବାରି

ପ୍ରାଣ ଦେଲ କି ପଥର କରି

ଯାଜ୍ଞସେନୀ ତୁମ୍ଭ ପରିଚାରୀ

ଶେଷେ ହୋଇବ କି ଦିଗମ୍ବରୀ ।

 

 

(୨)

ପାତକିନୀ ବୋଲି      ବୋଲିନ୍ତି ଜଗତେ

କୈବଲ୍ୟର କଳାକର

ବାରିବାର କେହି      ଦେଖିଛି କି କାହିଁ

ତୁଟୀର ରାଜ ନବର !

ପ୍ରେମହୀନା ପଛେ            ହୁଏ ମୁଁ ତୁମେ ତ

ପ୍ରେମ ପରଣ ପଥର,

ପାଷାଣୀ ମୁଁ ହେଲେ      ପାଷାଣେ ଟେକିଛ

କରଜରେ ମହୀଧର,

ହେ ଈଶ, ତୁମ୍ଭେ ଦୁର୍ଜନହୃଦ କୁଳିଶ

ଗର୍ବ ଖର୍ବକାରୀ ହୃଷୀକେଶ

ମଦେ ମତ୍ତ ଗଜଙ୍କୁ ଅଙ୍କୁଶ

ଦ୍ୱେଷ ବିଷ ନାଶନ ପୀୟୁଷ ।

 

(୩)

ହେ ଗୋପାଳ      ହେ କୃପା ଜଳନିଧି

ହେ ସିନ୍ଧୁ କନ୍ୟାପତି

ଦ୍ରୂତଶ୍ରବା ବୋଲି      ବୋଲନ୍ତି ଜଗତେ

ଶ୍ରୂତଶ୍ରବା-ସୁତ-ଘାତୀ

ପରିତ୍ରାଣ ପରାୟଣ      ହେ କେଶବ

ତୁମ୍ଭେ ଅଗତିର ଗତି

ଆଉ କେତେ ହେଲେ      ପରାଣ ଟଳିବ

କି ଡାକେ ଟଳିବ ଶ୍ରୁତି !

ହେ କାହିଁ, ଅଛ ଭକ୍ତାଧୀନ ଭାବଗ୍ରାହୀ

ଗୋଷ୍ଠ ଚନ୍ଦ୍ରମା ଗୋକୁଳ ସାଇଁ

ଶକ୍ରାଜିତ ଜେମା ଚିତ୍ତବିତ୍ତ ହୋଇ

ହୃଦବଲ୍ଲଭ ଶୁଣିଲ ନାହିଁ ।

 

(୪)

ଆଚମ୍ବିତେ ଝର      ଧାରରୁ ଝରିଲା

ପରାୟେ ରୁଚିର ଚିର,

ଲୋହିତ ହରିତ      ସିତାସିତ ପୀତ

ବସନ ନାନା ରଙ୍ଗର

ଅସୁମାର କେତେ      ବାହାର ହୋଇଲା

ଅଧୀର ହୋଇଲା ଖଳ,

କଳବଳ ଯେତେ      କଲେ କି ହୋଇବ

କରୁଣା ସିନ୍ଧୁ ସମ୍ବଳ !

ସେ ବୋଲେ, ଡାକିନୀର କି କୁହୁକ ଖେଳେ

ଦମ୍ଭ ତରୁକୁ ଟାଳିଲୁ ବଳେ

 

 

ଚକ୍ର ଘୂରିଲା ମେରୁ ମଣ୍ଡଳେ

ଥକ୍କା ମାରି ବସିଲା ଭୂତଳେ ।

 

(୫)

“ଦେଖିବି ଆଜ ଲୋ      କେ ତୋତେ ରଖିବ

କେଉଁ ଧର୍ମ ହେବ ସାହା

ଏହି ଊରୁ ମୋର      ତୋ ଦମ୍ଭ ଦଳିବ”

ବୋଲୁଁ ଏହା କୁରୁନାହା

‘ଆହା ଆହା ବନ୍ଧୁ      ଅଭବ୍ୟ ଏକଥା

ସାହା ତାକୁ ଚଉବାହା’

ରାଧେୟ ଅଟ୍ଟଟ୍ଟ      ହାସ୍ୟ ଦେଖି

କେହି କେହି କେହି ଦେଉଥିଲେ ଢ଼ୁଆ

(ତେଣେ) ହେଲା      ଯଜ୍ଞଶାଳେ କନ୍ଦଳ ଉଠିଲା

ଦାଉ ଦାଉ ଅନଳ ଖେଳିଲା

ଦିବାକାଳେ ଶିବା ରଡ଼ି ଦେଲା

କାଳ ଶକୁନି ଛାଦେ ବସିଲା ।

***

 

ଦଶମ ପର୍ବ

(ଧାମାଲ)

(ଭୀମ ପ୍ରତିଜ୍ଞା)

 

(୧)

ହେ ବିଶ୍ୱ ଶୁଣ ବେଣୀ ରହିବ ନୋହି ବନ୍ଧନ

ଶୁଣି ଚମକି ନୁହ ଅଜ୍ଞାନ

ଦେବତା ଋଷି ବ୍ରାହ୍ମଣ ସୁରାସୁର ପିତୃଗଣ

ଅଗ୍ନି ବରୁଣ ପ୍ରଭଞ୍ଜନ ଯେ ଯହିଁ ଅଛି ଶୁଣ

କଲି ଭୀଷଣ ପଣ ଯାବତ ପାପୀ ଦୁଃଶାସନ

ବକ୍ଷରୁ କରି ରକ୍ତପାନ ସ୍ୱାଦୁ ରଚନା ରସାୟନ

ମେରୁଦଣ୍ଡକୁ କରି ଚୂର୍ଣ୍ଣ

କଙ୍କାଳ ମାଂସକୁ ଚର୍ବଣ

ନକରି ରହିଛି ଦଶନ

ତାବତ କୀଟାଣୁ ସମାନ ହେ

ଧାମାଲ୍ ।

 

 

 

 

(୨)

ଯେ ପାପ ଊରୁକୁ ଦେଖାଇ

ଆଖି ଠାରିଲା ପାପଦେହୀ

ବଜ୍ରେ ବିନ୍ଧିଲା ବାୟା ହୋଇ

କୁରୁକୁଳ କଳଙ୍କ

କଣ୍ଡୁ କାରକ ବାଇଡ଼ଙ୍କ

କୃମି କୀଟର ମୋଡ଼ି ବେକ

ଏହି ଗଦା ମୋହର

ପ୍ରଭାବେ ଯାର ସୁରାସୁର

ନର କିନ୍ନର ଚରାଚର

କେବା ନହୁଏ ଥରଥର

ଚୂର୍ଣ୍ଣ ନକରି ଥିବା ଯାକେ

ମୋ ଥାନ ନାହିଁ ସୁରଲୋକେ

ମୋର ଅର୍ଜିତ ପୁଣ୍ୟମାନ

ସବୁ ହୋଇବ ଅକାରଣ ।

***

 

ଏକାଦଶ ଛାନ୍ଦ

 

(୧)

(ଦେଖୁଁ ଦେଖୁଁ ଦେହଳୀ-ବୃତ୍ତେ)

ଦେଖୁଁ ଦେଖୁଁ ପ୍ରଳୟ ଅନଳ ପ୍ରସରିଲା

ଲେଲିହାନ ରସନାରେ ଅଟ୍ଟାଳି ଚୁମ୍ବିଲା

ବାତାୟନ ଭେଦି ଛେଦି ବାରିଦ ମଣ୍ଡଳ

ଦର୍ବିକି ଦେଖାଇ ଦେଲା କାଳ ପାପ ବ୍ୟାଳ !

ଅନ୍ତଃପୁରେ ପୁରାଙ୍ଗନା

ଅନଳପରଶେ କେତେ ହେଲେ ବିବସନା

ଆତଙ୍କରେ ଖଳବଳ

ତୁଟିଲା ଉନ୍ମାଦ ନିଶା ମୁକ ସଭାସ୍ଥଳ ଯେ ।

 

(୨)

ଫଟାଇଲା ଶିଖର ଶିଖାର ଗରଜନ

ସ୍ଫଟିକ ତୋରଣମାନ ହୋଇଲେ ଇନ୍ଧନ

ଚନ୍ଦ୍ରାତପ ତଳେ ଚାରୁ ଚନ୍ଦ୍ରମା ବଦନୀ

ନୟନ ନୀରରେ ତିନ୍ତିଥିଲେ ଧରାରାଣୀ

ତ୍ରାହି ତ୍ରାହି ନାଦ କରି

ଲୋଟିଲେ ପୟରେ କାହୁଁ କେ ଏକ ସୁନ୍ଦରୀ

‘କ୍ଷମା ! କ୍ଷମାକର ସତୀ’

ଦେଖିଲେ ଚକିତେ ଭାଗ୍ୟବତୀ ଭାନୁମତୀ !

 

(୩)

ଚକ୍ଷୁହୀନ ରାଜନ କାତରେ ବଧୂ ଚାହିଁ

ବୋଇଲେ ବୁଝିଲି ସତୀ ସୁଲକ୍ଷଣା ତୁହି

ସ୍ୱଭାବେ ଶ୍ୱଶୁର ତେଣୁ କ୍ଷମା ଭିକ୍ଷା କଲେ

ଅମଙ୍ଗଳ ହେବ, ଚାହଁ କରୁଣ ଅନ୍ତରେ

କୁଳପାଂଶୁଳ ଏ ଖଳ

କୁଳ କ୍ଷୟଲାଗି କଲା ଅଶନି ପ୍ରହାର

କୁରୁବଂଶ କଳଙ୍କିତ

ପୁତ୍ର ପରିଜନଙ୍କୁ ମୁଁ ହେଲି ବିଷବତ ।

 

(୪)

ଭାସୁଥିଲେ ମାର୍କଣ୍ଡେୟ ପ୍ରଳୟ ଜଳରେ

ରାଜଜେମା ଦୟାବହି ଟେକିଲୁ କୂଳରେ

ଫାଡିଲୁ ପିନ୍ଧା ବସନ, କୌପୀନ ପିନ୍ଧାଇ

ଉଲଙ୍ଗ ଯୋଗୀନ୍ଦ୍ର ଅଙ୍ଗ ଥିଲୁ ମଣ୍ଡି ଆଇ

କରିଥିଲୁ ପ୍ରଣିପାତ

ଏ ଜନମେ ସେହି ଫଳେ କୋଟିବସ୍ତ୍ର ଜାତ

ଗୁରୁ ଦେବତା ବ୍ରାହ୍ମଣ

ସନ୍ଥ ଦରିଦ୍ର ଜନଙ୍କ ଅଖଣ୍ଡ କଲ୍ୟାଣ ।

 

(୫)

‘ଯାହା ବାଞ୍ଛା କହ ବର ଦେବି ଏହିକ୍ଷଣି

ନ ପକା ଦୁଃଖିନୀ ସେ କାତରେ ଆଖିପାଣି’

‘ଏକା ଧର୍ମରାଜ ବିନା ଆନ ଯେତେ ଜନ

ହୋଇଛନ୍ତି ଦାସ ସର୍ବେ ଲଭନ୍ତୁ ମୋଚନ’

ଯେତେ ପୁତ୍ର ଛନ୍ତି ଯହିଁ

ଦାସୀପୁତ୍ର ଅପବାଦ ନ ଘେନନ୍ତୁ କେହି

ବୋଲ ଦ୍ରୂପଦ ନନ୍ଦିନୀ

‘ପାଅ ତାହା ମାତା, ଆନ ବର ଦେବି ପୁଣି ।’

 

(୬)

‘ଦ୍ୱିତୀୟରେ ଧର୍ମରାଜ ହୁଅନ୍ତୁ ମୁକତ’

‘ତଥାସ୍ତୁ ଜାଣିଲି ତୁହି ଶାରଦା ସାକ୍ଷାତ’

ତୋ’ଠାରେ ହୋଇଛି ଯେଉଁ

ଦୋଷେ ଦୋଷୀ ମୁହିଁ

କିଞ୍ଚିତ ମାତର ପ୍ରତିଦାନ କରିନାହିଁ

ଆନ ବର ଭିକ୍ଷା କର

ଯାହା ତୋର ଥିଲା ସବୁ ପାଇଲୁ ଏଥର

ବୃଦ୍ଧ ଶ୍ୱଶୁର ତୋହର

ଅଛି ଯେ ବେଦନା ହୃଦେ ତାହା ଦୂର କର ।’

 

(୭)

‘ବଧୂପଣେ ନେଲି ଏକ ପ୍ରଜାପଣେ ଏକ

ପାପିନୀ ହୋଇବି ଲୋଭେ ନେଲେ ତତୋଧିକ

ଚରଣଧୂଳି ତୂମ୍ଭର ଥାଉ ମୋ ମଥାରେ

ଏହାଠାରୁ ଉଚ୍ଚ ଧନ କି ଅଛି ସଂସାରେ

ବୋଲି ନମିଲା ପୟରେ

ସାଧୁ ସାଧୁ ଶବଦ ଶୁଭିଲା ନୀଳାମ୍ବରେ

 

ଶଙ୍ଖ ନିନାଦ ହୋଇଲା

ଆଚମ୍ବିତେ ପୁଷ୍ପାଞ୍ଜଳି ମସ୍ତକେ ଖସିଲା ।

 

(୮)

ପତି ପରିଜନ ଘେନି ଚଳିଲେ ସୁନ୍ଦରୀ

ଦଇବେ ଆସିଲେ ଦିନେ ପ୍ରଭୁ ଚକ୍ରଧାରୀ

ଅନାଇ ହସିଲେ ପଳାଇଲେ ସୁହାସିନୀ

ଆଭାକୁ ଦେଖାଇ ଅବା ଲୁଚିଲା ଯାମିନୀ

‘ଏ କି ଭାବ ହେଲା ସଖୀ

ମଉନ ରହିଲ ମୋତେ ସମ୍ମୁଖେ ନିରେଖି

ଅଭିମାନେ ଏ କି କଲ

କେଉଁ ଅପରାଧେ ଦ୍ରୋହୀ ହୋଇଲି ତୁମ୍ଭର ?

 

(୯)

‘ତୁମ୍ଭେ ତ ପାଞ୍ଚାଳୀ ଦିନେ ଥିଲ ସ୍ନାନାଗାରେ

‘ସଖା’ ବୋଲି କଣ୍ଠସ୍ୱର ଶୁଣି ସିଂହଦ୍ୱାରେ

ହୋଇ ଆତ୍ମହରା ପରା ଉଚ୍ଚାଟେ ଧାଇଁଲ

ଅଙ୍ଗେଣ ଲଙ୍ଘାଇ ମୋତେ ବାହୁରେ ଭିଡ଼ିଲ

ଉନ୍ମାଦିନୀ ବିବସନା

ଲଜ୍ଜା ଭୟ ସୌଷ୍ଠବତା ସବୁ କରି ଚୂନା

ଦେଖି ଶକ୍ରାଜିତ ଜେମା

ଫିଙ୍ଗିବାରୁ ଉତ୍ତରୀୟ ପାଇଲ ଚେତନା ।’

 

(୧୦)

‘ସେହି ତ ବସନ ଦେଲ ରଖିଲ ସମ୍ମାନ

ପାଣ୍ଡବଙ୍କ ପ୍ରଭୁ ବଡ଼ ଜାଣିଲେ ଭୁବନ

ଦେଇଥିଲେ ଦଣ୍ଡେ ଆଗୁଁ କି କ୍ଷତ ହୁଅନ୍ତା

ଯାଜ୍ଞସେନୀ କୁନ୍ତଳ କି ପାପୀ ପରଶନ୍ତା !

ହେଲ ଏଡ଼େ ତୁମ୍ଭେ ଖଳ

ଚିନ୍ତାମଣି ତୁମ୍ଭେ ପରା ସହାୟ ସମ୍ବଳ

ଜାଣି ନାହିଁ କି କୁଟିଳ

କାହା ନାମେ ବହେ ଶ୍ୱାସ ନେତ୍ର ଛଳ ଛଳ ।

 

(୧୧)

‘ଆଦ୍ୟେ ତ ଜଣାଇ ନାହିଁ ଜାଣିବି କିପରି ?

ସୂତ ମୁଖେ ଦେଖାଇଲ ଯୁକତି ଚାତୁରୀ

ଶିକୁଳି ଭିଡ଼ିଲ ଥାଇଁ କୁନ୍ତୀ ଅନ୍ତରାଳେ

ନମାନି କୁନ୍ତଳେ ଝିଙ୍କି ନେଲା ସଭାସ୍ଥଳେ

କାହିଁଥିଲି କି ମୁଁ ମନେ

ଗୁରୁଜନେ ସଭାସ୍ଥାନେ ସ୍ୱାମୀ ସମ୍ଭାଷଣେ ?

ଯେବେ ନିରସ୍ତ ହୋଇଲ

ସଖା ବୋଲି ଅଛି ଜଣେ ମନେ ପକାଇଲ ।’

 

(୧୨)

‘ନମାନି ବସନ ଯେବେ ଝିଙ୍କିଲା ପାମର

ଦ୍ୱିଭୁଜ ଲଗାଇ କେତେ କରିଲ ସଂହାର

‘ଢାଙ୍କିଲ ଉରଜ ଲଜ୍ଜା ହସ୍ତ ଏକ ଥୋଇ

ଆନ ହସ୍ତେ ଯୁଝୁଥିଲ, ଗଣ୍ଡେ ଧାର ବହି

ଡ଼ାକି ନାହଁ ତେବେ ମୋତେ

ଜାଣିବି କିପରି ସହୀ ପଡ଼ିଛ ସଙ୍କଟେ ?

ଥିଲା ଯେତେକ ବନ୍ଧନ

ନିଷ୍ଫଳ ହେବାରୁ ସିନା କଲ ସୁମରଣ ।

 

(୧୩)

‘ଡାକିଲ ‘ନନ୍ଦନନ୍ଦନ’ ଗୋ ଗୋଷ୍ଠ ଆଣିଲି

ଗୁହାଳେ ରଖାଇ ଜନନୀଙ୍କି ପୁଚ୍ଛା କଲି

ସଖାମାନଙ୍କୁ ବୁଝାଇ ସମର୍ପାଇ ଦେଲି

ଧବଳୀ ଶ୍ୟାମଳୀ ନାଲି ନେଳୀ କୁଞ୍ଜଗଳୀ

କ୍ଷୀର ସର ଦଧି ଖାଇ

ଆସୁଁ ଆସୁଁ ଉଛୁର ହୋଇଲା ଦୋଷ କାହିଁ

ଶୁଣି ‘ରାଧିକା-ବଲ୍ଲଭ’

ଧାଇଁଲି ଜଟିଳା ଗୃହେ ହୋଇଲା ବିଳମ୍ବ ।’

 

(୧୪)

‘ବୈକୁଣ୍ଠନାଥ’ ମୁଁ ଯେଣୁ ବୈକୁଣ୍ଠର ରାଜା

ବାହାରିଲେ ରଥ ଗଜ ବାଜି କେତେ ସଜ୍ଜା

ଏହିପରି ଯେତେ ମତେ ଡାକୁଥାଅ ସହୀ

କାହିଁରେ ତ କ୍ଷିପ୍ରହେବା ପଥ ନ ମିଳଇ

ଡାକିଦେଲେ ହୃଦୟେଶ

ଅବିଳମ୍ବେ ହେଲି ତେଣୁ ବସନେ ପ୍ରକାଶ !

‘ଭାବଗ୍ରାହୀ ଭଗବାନ !

ନମିଲେ ପାଞ୍ଚାଳୀ ‘ ତୋର ମାୟା ଅକଳନ’!

 

(୧୫)

ପୁଣ୍ୟତୋୟା ବୈତରଣୀ ତଟେ ମୋର ଘର

ରାଣି ଗୋସ୍ୱାମିନୀ ଯହିଁ ଦେଲେ ଦେଲେ ହବ୍ୟଧାର

ଶୁଭାକର ଲକ୍ଷ୍ମୀଙ୍କର ଗୁହଦେବଙ୍କର

କେଶରୀ ଯଜାତିଙ୍କର କୀରତି ପଟଳ

ଯହିଁ ଅଗ୍ନିହୋତ୍ର ଠାର

ବେଦଧ୍ୱନି କରାଉଛି ଶ୍ରୁତିକି ମୁଖର

ସେହି ହୋମ ଧୂମ ଶ୍ୱାସ

ଲଭିବାକୁ ଜନ୍ମ ଜନ୍ମାନ୍ତରେ କରେଁ ଆଶ ।

 

(୧୬)

ବାଲ୍ୟେ ନୃତ୍ୟ ଗୀତ ବାଦ୍ୟେ କୌତୁକେ ମଜାଇ

ଲେଖନୀ ସଙ୍ଗତେ ପରିଚୟ ମୋର କାହିଁ ?

ଅମ୍ୱୁ ଯେ ହେଉ ସେ ହେଉ ଶାଳଗ୍ରାମ ସ୍ନାନେ

ଅଗ୍ରାହ୍ୟ କାହାର ପାଦୋଦକ ନାମ ଜ୍ଞାନେ

ଅଭିମନ୍ୟୁ ରାସସ୍ଥଳୀ

ଧୂଳି ଦିନେ ବୋଲିଥିଲ କରୁଛି ବାଉଳି

‘କୃଷ୍ଣ, ‘କୃଷ୍ଣ’ ନାମ ସ୍ମରି

କୃଷ୍ଣ ରଙ୍ଗ-ଅବତାରୀ ଗଲା ଆଖିଠାରି ।

 

(୧) ଅନେକେ ଜାଣନ୍ତି ନାହିଁ ଯେ ରାଜା ଯଜାତି କେଶରୀଙ୍କ ପୂର୍ବରୁ ରାଣୀ ଗୋସ୍ୱାମିନୀ, ରାଜା ଶୁଭାକର ରାଜା ଲକ୍ଷ୍ଣୀଙ୍କର, ରାଜା ଗୁହଦେବ ବ୍ରାହ୍ମଣ୍ୟ ଧର୍ମର ଅଭ୍ୟୁଦୟ ଲାଗି ବହୁ ବ୍ରାହ୍ମଣଙ୍କୁ କାନ୍ୟକୁବଜରୁ ଅଣାଇ ଶାସନମାନ ସ୍ଥାପନ କରିଥିଲେ । ସେହି ପ୍ରାଚୀନ କାଳରୁ ଏଯାଏଁ ବୈଦିକ ଅଗ୍ନି ପ୍ରଜ୍ୱଳ ଥିଲା । ମାତ୍ର ପଚିଶ ବର୍ଷ ହେଲା ଅଗ୍ନି ଲିଭିଛି ।

 

(୨) ବରୁହାଁ ପ୍ରଗନ୍ନାରେ ବାଲିଆ ହରିପୁର ଗ୍ରାମରେ ବିଦଗ୍ଧ ଚିନ୍ତାମଣିର ଅମର ଭକ୍ତ ଲେଖକ ‘ଅଭିମନ୍ୟୁ’ ଙ୍କର ରାସସ୍ଥଳୀ ଅଛି । କବିବର ସେଠାରେ ରାଧାକୃଷ୍ଣଙ୍କର ନିତ୍ୟଲୀଳା ପ୍ରତ୍ୟକ୍ଷେ ଦେଖୁଥିଲେ ବୋଲି ଜନପ୍ରବାଦ ଅଛି ।

 

(୩) ନାଟୁଆ ଅଭିନେତା ।

***

 

ବ୍ରାହ୍ମଣ (ପ୍ରଥମ ପର୍ବ)

(ରାମକେରୀ)

(ବିଶ୍ୱାମିତ୍ରଙ୍କର ମୃଗୟା ଓ ବଶିଷ୍ଠାଶ୍ରମେ ପରାଜୟ)

 

ତଡିତ ମାଳାରେ ମଣ୍ଡିତ ବନଗିରି ଶିଖର

ଅଶନି ନିନାଦେ ନାଚିଲେ ରୁଦ୍ର ପ୍ରଳୟଙ୍କର ।

 

କଜ୍ୱଳ ବରନ ବାରିଦେ ହେମ ଉଜ୍ଜ୍ୱଳ ଛଟା

ପ୍ରାବୃଟ ପ୍ରକୃତି ଅଙ୍ଗରେ ଭୀମ ସୁନ୍ଦର ଘଟା ।

 

ପ୍ରତିଧ୍ୱନି ପ୍ରତି କନ୍ଦରା ତଳେ ଖେଳେ ଚତ୍ୱରେ

ଟୋପି ଟୋପି ହୋଇ ଝରିଲା ବାରିବିନ୍ଦୁ ସତ୍ୱରେ ।

 

ଖରଧାର ଶତ ସ୍ରବିଲା ତଡ଼ି ଉପଳ ଖଣ୍ଡ

ପିଙ୍ଗଳ ଜଟା କି ଟେକିଲେ ବ୍ୟୋମକେଶ ପ୍ରଚଣ୍ଡ ।

 

ପ୍ରଭଞ୍ଜନ ଭୀମ ଭୈରବ ଦମ୍ଭେ ଆସିଲା ମାଡ଼ି

ବନସ୍ପତି କେତେ ନିଶାଖ କଲା ଦେଲା ଓପାଡ଼ି ।

 

 

ମୃଗୟା ବିନୋଦୀ ପ୍ରମାଦେ ପଡ଼ିଗଲେ ତକ୍ଷଣେ

ପ୍ରଜା ପରିଜନ ପାଇକ ନୃପତିଙ୍କ ଗହଣେ ।

 

ଶୀତ ବାତ ତୁଷାରପାତ ଶିଳାବୃଷ୍ଟି କାତର

ଅନ୍ଧକାରେ ଠାବ ମିଳିବା ଯେବେ ହେଲା ଦୁଷ୍କର ।

 

ଚକ୍ରବର୍ତ୍ତୀ ଶିରେ ଘୂରିଲା ଚକ୍ର କୁଲାଳ ବତ

ଦେଖିଲେ ଅଦୃଷ୍ଟ ଆବର୍ତ୍ତେ କୁଟାଖିଅ ଜଗତ ।

 

କାନ୍ୟକୁବଜ ମହୀମଣ୍ଡନ ବିଶ୍ୱାମିତ୍ର ରାଜନ

ଆଚମ୍ବିତେ ଦୂରେ ଦେଖିଲେ ତେଜୋମୟ ବ୍ରାହ୍ମଣ ।

 

ଜଟା କୌପୀନ ପରିଧାନ ଜଣେ କେ ତପୋଧନ

ଠାରିଲେ ଆସ ଏହି ସ୍ଥାନେ ରାଜା ହେଉ କଲ୍ୟାଣ ।

 

ଘନଘଟା ତୁଟି ନିମିଷେ ହେଲା ଚନ୍ଦ୍ର ଉଦୟ

ଅଜଣା ରାଇଜ ସୌରଭ କରି କେତେ ସଞ୍ଚୟ ।

 

ନିତ୍ୟବସନ୍ତ ସମୀରଣ ମଳୟ ସମାଗତ

ସ୍ୱପନ ପୁରୀ ପରକାରେ ଜାତ ଅଟ୍ଟାଳି ଶତ ।

 

ମଣିମୟ ମଞ୍ଜୁ ନିଳୟ ଦୀପାବଳି ଶୋଭିତ

ସ୍ୱାଗତ ସ୍ୱାଗତ ଭାଷଣେ ଶୁକଶାରୀ ବନ୍ଦିତ ।

 

ବ୍ରହ୍ମଚାରୀ ଶତ କଣ୍ଠରେ ପ୍ରାଙ୍ଗଣ ମୁଖରିତ

ଯଜ୍ଞ ହୋମ ଧୂମ ରେଖାରେ ଝରେ ଶାମ ସଙ୍ଗୀତ ।

 

ଦେବ ଭୋଗ୍ୟ ଭୋଜ୍ୟ ପେୟ ବା ଶଯ୍ୟା ଉପକରଣ

ସହସ୍ର ପରିଜନ ଲାଗି ଯଥାଯଥ ଆସନ ।

 

ସ୍ଫଟିକ ଇନ୍ଦ୍ର ନୀଳମଣି ପାତ୍ରେ ମଣୋହି କଲେ

କୁବେର ସମ୍ପଦ ଭଣ୍ଡାର ଦେଖି ଚମକି ଗଲେ ।

 

‘ଏତ ତପୋଧନ ବ୍ରାହ୍ମଣ ଯଜ୍ଞ ଭିକ୍ଷା ଜୀବିକା

ମୁଁ ତ ଆସିଛି ଆଚମ୍ବିତେ ଅତିଥି ପରା ଏକା ।

 

ନିବିଡ଼ କାନନ ପ୍ରଦେଶେ ଲୋକାଳୟ ବିହୀନ

ଶତ ରାଜେନ୍ଦ୍ରଙ୍କୁ ଦୁର୍ଲ୍ଲଭ ଏହି ସମ୍ଭାର ମାନ ।

 

ମାୟାବୀ କି ସତେ ମାୟାରେ ଏହା କଲେ ସର୍ଜନା

ଅବଶ୍ୟ ଜାଣେ ବଶିଷ୍ଠଙ୍କୁ ବିଶ୍ୱ କରେ ବନ୍ଦନା ।

 

ତ୍ରିଯାମା ଏହି ପରକାରେ ନାନା ଚିନ୍ତା କାତର

ପ୍ରଭାତରେ ବିଜେ ହୋଇଲେ ବନ୍ଦିବାକୁ ପୟର ।

 

ବଶିଷ୍ଠେ ବୋଇଲେ ରାଜନ ମୋର ଅତି ସୁଦିନ

ରାଜ ଅତିଥିଙ୍କି କି ଦେବି ଯୋଗ୍ୟ ଉପଢ଼ୌକନ ।

 

ପ୍ରଜାପାଳକ ହେ ନୃପତି ମୁଁ ତ ପ୍ରଜା ତୁମ୍ଭର

ବାଞ୍ଚିତ କି କହ ଦେବାକୁ ମୁହିଁ ନୋହେ କାତର ।

 

ଚରାଚର ଖ୍ୟାତି ତୁମ୍ଭର ତୁମ୍ଭେ ପ୍ରଜା ବତ୍ସଳ

ସ୍ୱଭାବ ନିର୍ଦ୍ଧନ ବ୍ରାହ୍ମଣ ଶୁଭବାଞ୍ଛା ସମ୍ୱଳ ।

 

ରାଜନ ପୁଚ୍ଛିଲେ ବୋଲନ୍ତୁ କାହୁଁ କି ମନ୍ତ୍ରବଳେ

ବାସବ ଦୁର୍ଲ୍ଲଭ ସମ୍ପଦ ପ୍ରାପ୍ତି ହୋଇଛ ହେଲେ ।

 

‘ଆଶ୍ରମେ ଅଛି ମୋ ନନ୍ଦିନୀ ଚରାଚର ବନ୍ଦିନୀ

ଭକ୍ତବାଞ୍ଛା କଳ୍ପଲତା ସେ କାମଦୁହା କଲ୍ୟାଣୀ ।

 

କଳ୍ପ କଳ୍ପାନ୍ତ ସତ୍ୟ ପଥେ ହୋଇ ବ୍ରହ୍ମ ନିରତ

ପଦ୍ନ ପତ୍ରେ ଜଳ ପରାୟେ ଯେ ଜନ ଅନାସକ୍ତ ।

 

କେବଳ ସେ ଜନମାନଙ୍କୁ କୃପା ସରିତ ପରା

ହୋଇଥାନ୍ତି ବରଦାୟିନୀ ଧନ୍ୟ କରାନ୍ତି ଧରା ।

 

ସେହି ଧେନୁ ଦିଅ ବାଞ୍ଛିତ ନାହିଁ ଅନ୍ୟ କାମନା

ପୃଥ୍ୱୀପତି ଜାଣ ମୁହିଁ ତ କର ଯୋଗ୍ୟ ଅର୍ଚ୍ଚନା ।

 

ବଶିଷ୍ଠେ ବୋଲନ୍ତି ‘ପୃଥ୍ୱୀଶ ! ସେ କି ପୃଥ୍ୱୀ-ସମ୍ଭବା ?

ତପଃ ଫଳେ ଲବ୍ଧ ସମ୍ପଦ ନନ୍ଦିନୀ ଅପାର୍ଥିବା ।

 

ଦେୟ ନୁହେଁ ସେ ତ ଅମ୍ବିକା ମଧ୍ୟ ନେଇ ରଖିବା

ମାୟା ମଗ୍ନେ ନୋହେ ସମ୍ଭବ ପଶୁବଳେ ବାନ୍ଧିବା ।

 

ରାଜନ ଭାବିଲେ ଏ ବଡ଼ ମୂଢ଼ ଗଣ୍ଠି ଗଣ୍ଠିଆ

ଚରଣ ଚୁଟିଆ ବ୍ରହ୍ମଣ ଖୋଜୁଅଛି ତଣ୍ଟିଆ ।

 

ଆଦେଶେ ପାଇକେ ପଶିଲେ ଗୋଶାଳାରେ ବାନ୍ଧିଲେ

ନନ୍ଦିନୀ କି ଓଟାରି ନେଲେ ନାନା ଛନ୍ଦେ ଛନ୍ଦିଲେ ।

 

ଛଳ ଛଳ ନେତ୍ରେ ଅନାଇ କେତେ ମଉନ ବ୍ୟଥ୍ୟା

ଛାଟିଲେ କାତର କଟାକ୍ଷ ସେହି ମୁକ ଦେବତା ।

 

ଚାହିଁ ତପୋଧନ ବୋଇଲେ ‘ମା’, ମୁଁ ତ ଦୀନବ୍ରାହ୍ମଣ

ସ୍ଵଭାବେ ସେତ ବଳିୟାନ ରାଜ ମଦେ ଅଜ୍ଞାନ ।

 

ନନ୍ଦିନୀ କ୍ରୋଧେ ଗରଜିଲେ ମୁଖ ବ୍ୟାଦନେ ଜାତ

ମହାକାଳ ଚଣ୍ଡ ବାହିନୀ ଘେନି ଆୟୁଧ ଶତ ।

 

ପଲକେ ପିଟି ଘଉଡ଼ାଇ ଦେଲେ ବଳବିକ୍ରମ

ଛାଟିଲେ ରାଜ ନବରକୁ ରାଜାଙ୍କୁ ଲୋଷ୍ଟ୍ର ସମ ।

 

ସଂଜ୍ଞା ପାଇ ରାଜା ଭାବିଲେ ଧିକ ମୋ ବଡ଼ପଣ

ଭିକ୍ଷାସୀ ବ୍ରାହ୍ମଣ ହସ୍ତରେ ମୋର ଏ ହୀନିମାନ ।

 

ଲାଜେ କ୍ରୋଧେ ଅଭିମାନରେ ରାଜା ରାଜ୍ୟ ତ୍ୟଜିଲେ

ତପୋବଳେ ତୁଚ୍ଛ ଯାବତ ବିତ୍ତ ମହୀମଣ୍ଡଳେ ।

***

 

ଦ୍ୱିତୀୟ ପର୍ବ

(“ବୟସ କେତେ ତାଙ୍କର”)-ବୃତ୍ତେ ଢ଼ୁଆପ୍ରାୟ କରି ଶେଷେ ଗଡ଼ିମାଳିଆକୁ ଟାଣିନେବେ)

ଅଯୋଧ୍ୟା ରାଜପୁତ୍ରଙ୍କ ବିଚିତ୍ର ଚିନ୍ତାଧାରା –

(ଏହିଠାରେ ରକ୍ଷଣଶୀଳ (Conservatives) ଓଉଦାରନୀତି (Liberal) ବିଭିନ୍ନ ଚିନ୍ତାଧାରୀ ଗତିପଥ ବୁଝାଇବାକୁ ପଡ଼ିବ । କିଏ ଭଲ, କିଏ ମନ୍ଦ ସେ ମୀମାଂସା ସଭା କରିବେ । ରାୟକେ ନିଜେ କିଛି ହିଁ ସିଦ୍ଧାନ୍ତ ବୋଲି କହିବେ ନାହିଁ)

 

କାନ୍ୟକୁବଜ ପାଶେ ଅଯୋଧ୍ୟା ପ୍ରଦେଶେ

ଥିଲେ ରାଜା ‘ଦେବବ୍ରତ’

ଅନପତ୍ୟ ଥାଇଁ ଶିବ ଦୁର୍ଗା ଧ୍ୟାୟି

ପାଇଲେ ଏକ ଅପତ୍ୟ

ସେ ନାମ-ସତ୍ୟବ୍ରତ ସର୍ବ ଗୁଣଧାମ

ରୂପେ ତେଜ ପୁଞ୍ଜ ଅଭିରାମ

ନବ ତରୁଣିମ ବୟସେ ହୋଇଲେ

ବାଳାର୍କ ବହ୍ନି ସୁଷମ ।୧।

 

‘ବ୍ୟର୍ଥ ଶାସ୍ତ୍ରାଚାର, ଭ୍ରାନ୍ତ ପୋଥିପାଠ

ସ୍ୱାଧୀନ ମନର ଗତି

ବାଧା ଜନମାଇ ଭରମାଇ ଦିଏ

ନାହିଁ ପ୍ରୟୋଜନ ଏଥି

ସେ ବୋଲେ-, ‘ଜ୍ଞାନ ବିବେକ ଥାଉଁ ଅନ୍ତରେ

ଯେଝା ହୃଦବାଣୀ ମର୍ମସ୍ଥଳେ

ନିତ୍ୟନୂତନ ଏ ଜଗତେ କାହିଁକି

ପ୍ରାଚୀନ ପ୍ରଦୀପ ଜଳେ ? ।୨।

 

କେ ବୋଲନ୍ତି ଏହୁ ହେଲା ଉଚ୍ଛୃଙ୍ଖଳ

କେ ବୋଲନ୍ତି କଦାଚାରୀ

ସନାତନ ଧର୍ମ ଉପେକ୍ଷା କରୁଛି

ଦିନୁଁ ଦିନୁଁ ଅବିଚାରୀ

ସେ ଦିନେ- ବିପ୍ରପଲ୍ଲୀ ବିବାହ ପ୍ରାଙ୍ଗଣେ

ହରି ନେଲେ ବିପ୍ର କନ୍ୟା ଜଣେ

ପାରିଜାତ ଶୋଭେ ନନ୍ଦନ କାନନେ

ନ ଶୋଭଇ ଶମଶାନେ ।୩।

 

କ୍ରୋଧେ ବିପ୍ରଗଣେ ମିଳି ରାଜା ସ୍ଥାନେ

ରାଜପୁତ୍ର ଅତ୍ୟାଚାର

ଗୁହାରି କରନ୍ତେ ପ୍ରତିକାର ଲାଗି

ବଶିଷ୍ଠେ କଲେ ବିଚାର

ସେ ଶାସ୍ତି-ହେଲା ଚଣ୍ଡାଳ ଗ୍ରାମେ ବସତି

ବିଧିବିରୁଦ୍ଧ କରିଛୁ ରୀତି

କ୍ଷତ୍ରିୟ ହୋଇ ତୁ ବ୍ରାହ୍ମଣୀ ହରିଛୁ

ନାହିଁ ତୋ ହୃଦକୁ ଭୀତି ।୪।

 

ଉଦ୍ଦଣ୍ଡ କୁମର ନିର୍ବାସନ ଦଣ୍ଡ

ଅନ୍ୟ ପୁତ୍ର ବାଞ୍ଛା କରି

ବଶିଷ୍ଠ କୁଳ ପୁରୋଧାଙ୍କୁ ସମର୍ପି

ରାଜା ହେଲେ ବନଚାରୀ

ସେ ତେଣେ, ଦେବସଭା ମଗ୍ନ ଆନ୍ଦୋଳନେ

ରାଜପୁତ୍ରେ ଦଣ୍ଡ ଅକାରଣେ

ବିଚାର ବିଭ୍ରମ ହେଲା ବଶିଷ୍ଠଙ୍କ

ଦୂଷ୍ୟ ହେଲେ ଆଚରଣେ ।୫।

 

ବର କନ୍ୟା ଦୁହେଁ ଗଣ୍ଠିଆଳ ଘେନି

ସପ୍ତପଦ ନ ଲଙ୍ଘିଲେ

ବିବାହ କର୍ମ ତ ପରିପୂର୍ଣ୍ଣ ନୋହେ

ଏହି ବିଧାନ ଦେଖିଲେ

ଜାଣୁ , ଏ ବିବାହ ଅସମ୍ପୂର୍ଣ୍ଣ ଏଣୁଁ

କନ୍ୟା ବ୍ରାହ୍ମଣୀ ନୁହଇ ଯେଣୁ

ବିପ୍ରକନ୍ୟା ସେତ ଶୂଦ୍ର ବର୍ଣ୍ଣେ ଖ୍ୟାତ

କ୍ଷତ୍ରିୟକୁ ଯୋଗ୍ୟ ତେଣୁ ।୬।

 

ନୀତିହୀନ ରାଜା ଗତିହୀନ ପ୍ରଜା

ବୃଷିୃହୀନ ହେଲା ଧରା

ଦୁର୍ଭିକ୍ଷ ମଡ଼କ ବ୍ୟାପି ଦୁହେଁ ଯାକ

ଶିରୀହୀନ କଲାପରା

ସେ ନାହିଁ-ଜଳବିନ୍ଦୁ ତଡ଼ାଗରେ କାହିଁ

ପଶୁପକ୍ଷୀ ତୃଣହୀନ ମହୀ

କେବଳ ନନ୍ଦିନୀ କାମଧେନୁ ଯୋଗୁଁ

ଅଯୋଧ୍ୟାକୁ ନ ବାଧଇ ।୭।

***

 

ତୃତୀୟ ପର୍ବ

(ରାମଲୀଳା ଆଡ଼ତାଳୀ ୧୪ ଅକ୍ଷରୀ ଛନ୍ଦ)

(ଅଭିମାନ ଓ ହିଂସା ପରାୟଣ ଦର୍ପିତ ତପସ୍ୱୀ)

 

କ୍ରୋଧେ ଅଭିମାନେ ବିଶ୍ୱାମିତ୍ର ନୃପରାଣ

ହିମଗିରି ତୁଷାର ଶିଖରେ ଅଧିଷ୍ଠାନ ।

 

ଅନାହାରେ ବ୍ରତାଚାରୀ ତପସ୍ୟା ସାଧନ

ଦେଖି ଚମକିଲେ ଗ୍ରହ ତାରା ସମୀରଣ ।

 

ଅନିନ୍ଦ୍ୟ ସୁନ୍ଦର ଆଭା ଝଟକି ଉଠିଲା

କ୍ଷଣ ପ୍ରଭା ପ୍ରଭାକର ନିଊନ ଦିଶିଲା ।

 

ଯକ୍ଷରକ୍ଷ କିନ୍ନର ବା ସୁରଦେହୀ କେହି

କୃଚ୍ଛ୍ର ସାଧନରେ କାହିଁ କେବେ ବଳି ନାହିଁ ।

 

ସାଧୁ ସାଧୁ ବୋଲି ପ୍ରଶଂସିଲେ ଚରାଚର

ଅବ୍ ଜ ଯୋନି ବୋଇଲେ ତୁ ମହିମା ସୁନ୍ଦର ।

 

 

ହେ ରାଜନ କାହିଁ ପାଇଁ ଏ କଠୋର ବ୍ରତ

ତପୋବଳେ ବଳୀୟାନ ହେବାକୁ ଜାଗ୍ରତ ।

 

ବ୍ରହ୍ମବିଦ୍ୟା ବିଶାରଦ ହୋଇବି ବ୍ରାହ୍ମଣ

ସାର ଜାଣେ ବ୍ରହ୍ମବଳ ଆନ ଅକାରଣ ।

 

‘ତଥାସ୍ତୁ’ ବୋଲାଇ ଉପବୀତ ଦାନ କଲେ

ସେହିଦିନୁଁ ବିଶ୍ୱାମିତ୍ର ବ୍ରାହ୍ମଣ ହୋଇଲେ ।

 

କ୍ଷତ୍ରିୟ ଶୋଣିତ ଅଭିମାନ ମଜ୍ଜାଗତ

କ୍ଷୀପ୍ର ବେଗେ ବଶିଷ୍ଠ ଆଶ୍ରମେ ଉପଗତ ।

 

‘କଲ୍ୟାଣ ହୋଉ ରାଜନ-’ବୋଲି ସମ୍ଭାଷଣ

ଶୁଣି ସେ ବୋଇଲେ ‘ଜାଣିନାକି ତପୋଧନ ?

 

ବ୍ରହ୍ମବିଦ୍ୟା ଲାଭ କରି ହୋଇଛି ବ୍ରାହ୍ମଣ

ବିହିତ ତୁମ୍ଭର ନମସ୍କାର ପ୍ରତିଦାନ ।

 

ବହୁଦୂରେ ରାଜନ ବ୍ରାହ୍ମଣଠାରୁ ତୁମ୍ଭେ

କ୍ଷତ୍ରିୟ ତପସ୍ୱୀ ବୃଥା ଭ୍ରମୁଅଛ ଦମ୍ଭେ ।

 

ବାରୁଦ ସ୍ତୂପକୁ ଅଗ୍ନି ସ୍ପୁଲିଙ୍ଗ ଛାଟିଲା

କାଳ ନାଗ ପୁଚ୍ଛକୁ କେ ଲଗୁଡ଼ ପିଟିଲା ।

 

ବିଶ୍ୱ ବନ୍ଦନୀୟ ହୋଇ ଭାବୁପରା ମନେ

କେହି ନାହିଁ ଟାଳିବାକୁ ତୁ ଏକା ଭୁବନେ ।

 

ବାରମ୍ବାର ଅବଜ୍ଞା କରୁଛୁ ନୀଚମନା

ତୁଚ୍ଛ ବୋଲି ମଣୁଅଛୁ ଯାବତ ସାଧନା ।

 

ସାକ୍ଷ ପ୍ରତିଫଳ ଦେଖ ଦେଉଛି କିପରି

ଶତ ଋଷି ପୁତ୍ର ହାଣି ଦର୍ପେ ପାଦେ ଦଳି ।

 

ଛିନ୍ନ ମୁଣ୍ଡ ଯଜ୍ଞ କୁଣ୍ଡେ ନିକ୍ଷେପ କରିଲେ

ପୈଶାଚିକ ଅଟ୍ଟହାସେ ଆଶ୍ରମ ତ୍ୟଜିଲେ ।

 

କ୍ଷମାଶୀଳ ତପୋଧନ ଥିଲେ ନିର୍ବିକାର

ସୁଖ ଦୁଃଖ ଶୀତାତପ ସମାନ ଆଚାର ।

***

 

ଚତୁର୍ଥ ପର୍ବ

(କାମୋଦୀ)

(ଚଣ୍ଡାଳ ପଲ୍ଲୀକି ନିର୍ବାସିତ ସତ୍ୟବ୍ରତଙ୍କର ଉଦାରତା, ଦୁର୍ଭିକ୍ଷକ୍ଳିଷ୍ଟ ବିଶ୍ୱାମିତ୍ରଙ୍କର ରାଣୀ ଓ ସନ୍ତାନମାନଙ୍କୁ ଆଶ୍ରୟଦାନ, ପ୍ରତିପାଳନ ଓ ସତ୍ୟନିଷ୍ଠା)

 

(୧)

କାନ୍ୟକୁବ୍ ଜ ସଂସ୍ଥାନେ      ଅନାବୃଷ୍ଟି କାରଣେ

ଦୁର୍ଭିକ୍ଷ କଲା ନାରଖାର

ରାଜା ତପସ୍ୟାରତ      ରାଜ୍ଞୀ ପାତ୍ର ଅମାତ୍ୟ

ଯେ ଯେତେ କଲେ ପ୍ରତିକାର

ସେ ବେଳୁଁ ବେଳ,      ଦୁର୍ଦ୍ଦଶା ହେଲା ଅସମ୍ଭାଳ

ହା’ ଅନ୍ନ ଘୋଟିଲା ସଂସାର

ପରଜା ପରିଜନ      ପରିଚାର ସେ ମାନ

ମରଣେ ଉଠେ ହାହାକାର ।

 

(୨)

ଚାଲିଲେ ଯେଣେ ଆଖି      ଶବ ସ୍ତୂପ ନିରେଖି

ଗୃଧିନୀ ଶ୍ୱାନ ଶିବା ନାହିଁ

ନାହିଁ ତୃଣ ପତର      ନିର୍ଜଳ ଧରାତଳ

ଦୁର୍ଗନ୍ଧେ ଶ୍ୱାସ ରୁନ୍ଧେ କାହିଁ

ମହାଦେଈ, ଭାବିଲେ ମୁଁ ହତଭାଗିନୀ

କେ ଅଛି ମୋ ପରି ପାଷାଣୀ

ଆତ୍ମଘାତିନୀ ନୋହି      ବଞ୍ଚିଛି ଆଜଯାଇଁ

ମୃତ୍ୟୁକି ନିର୍ଦ୍ଦୟ ମୋ ପାଇଁ ।

 

(୩)

ବିଶ୍ୱାମିତ୍ର ଶୋଣିତ      ବିନ୍ଦୁରୁ ଉପଜାତ

ପୁତ୍ର ତିନୋଟି ଘେନି କୋଳେ

ରାଜପୁରୀ ଛାଡ଼ିଲେ      ପଥେ ପଥେ ରଟିଲେ

କେ ଅଛ ଦାତା ଭୂମଣ୍ଡଳେ

ଦିଅ ଅନ୍ନ, ଭିକ୍ଷା ମାଗୁଛି ଅକିଞ୍ଚନ

ଶୁଦ୍ଧ କ୍ଷତ୍ରିୟ ରକ୍ତଦାନ

ନରବଳି ସମ୍ଭାର      କିଣ ଏକ କୁମର

ଜୀଅନ୍ତୁ ଆନ ଦୁଇ ଜଣ ।

 

(୪)

ଅନ୍ତ୍ୟଜ ପଲ୍ଲୀ ବାସେ      ଥିଲା ସେ ମନୋଲ୍ଲାସେ

ବିଚିତ୍ର ଘୋଷଣା ଏ ଶୁଣି

ଆଚମ୍ବିତେ ଦେଖିଲା      ଚିହ୍ନି ଚମକି ଗଲା

କୌଶିକେୟଙ୍କ ମହାରାଣୀ

ପଦାନତ, ବୋଇଲା-‘ଏକି ଅସଙ୍ଗତ

କି ଦୁଃଖେ କର ଅବିହିତ

ରାଜପୁତ୍ର ଏମାନ      ପ୍ରକୃତି ପୁଞ୍ଜଧନ

ପାଳିବି ହେଲା ମୋର ବ୍ରତ ।

 

(୫)

‘କେ ତୁହି ଦୟାବନ୍ତ      ବୋଲୁଁ ବୋଲଇ ସେତ

‘ମୁଁ ତୁମ୍ଭ ସନ୍ତାନ ସତତ

ଅଯୋଧ୍ୟାପୁରେ ଜାତ      ରାଜଦଣ୍ଡେ ଦଣ୍ଡିତ

ଚଣ୍ଡାଳ ଗ୍ରାମେ ନିର୍ବାସିତ

କଲି ପଣ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଜାଣ

ତ୍ରିପୁର ଭେଦଇ ମୋ ବାଣ

ପଲଳ ଖାଦ୍ୟ ଜଳ      କରି ଅବଶ୍ୟ ଠୁଳ

ନିଶ୍ଚିୟ କରିବି ପାଳନ ।

***

 

ପଞ୍ଚମ ପର୍ବ (ରାମ କେରୀ)

(ତପଃସିଦ୍ଧ ବିଶ୍ୱାମିତ୍ରଙ୍କର ଚଣ୍ଡାଳ ଗୃହେ ପାରଣା)

 

ବ୍ରହ୍ମବଳ କି ମୋ ଆୟତ୍ତ ହୋଇନାହିଁ ସକଳ

ଉଦାର ହୃଦୟ ଧାତାକି କରୁଣାରେ କେବଳ ।

 

ବୋଇଲେ ‘ହେଲୁତୁ ବ୍ରାହ୍ମଣ-‘ ବାସ୍ତବେ ହୀନବଳ

ପୁଣି କରିଲେ ତପୋଧନ ସମାଧିକି ସମ୍ବଳ ।

 

କୈଳାଶ କନ୍ଦର ଟଳିଲା ବିଜେ ହେଲେ ଧୂର୍ଜଟି

ବ୍ରହ୍ମବଳେ ଧନ୍ୟ ତୁହିରେ ବ୍ରହ୍ମାଣ୍ଡେ ମହାଯତି ।

 

‘ପୂର୍ଣ୍ଣ ହେଲା ତୋର ସାଧନା କର ସ୍ନାନ ପାରଣା,

ବିଶ୍ୱବନ୍ଦ୍ୟ ପୁଣ୍ୟ ତପସ୍ୟା ବଳ ନୋହେ କଳନା’ ।

 

କେତେ ଯୁଗ ବିତିଗଲାଣି କେତେ ଋତୁ ବରଷ

ଏତେ ଦିନେ ଚେତା ହୋଇଲା ବାହ୍ୟଜ୍ଞାନ ପରଶ ।

 

 

ତୁଷାରଝରେ ସ୍ନାନ ସାରି ପାରଣାର ପ୍ରୟାସେ

ଦେଖିଲେ ଶ୍ମଶାନ ସକଳ ଚରାଚର ଆକାଶେ ।

 

ଶୁଖିଛି ତଡାଗ ତଟିନୀ ନାହିଁ ଜୀବ ଦେହୀ କେ

ଝରିଛି ଅଟ୍ଟାଳି ପ୍ରାସାଦ ଖରାଝାଞ୍ଜି ବିଶିଖେ ।

 

ଉପକଣ୍ଠ ପଲ୍ଲୀ କୁଟୀରେ ଜଣେ ଭୀମଦର୍ଶନ

ମାତ୍ରକ ନିଦ୍ରା ବିକାରରେ ନାସିକାର ଗର୍ଜନ ।

 

ନିକଟେ ରହିଛି ହାଣ୍ଡିରେ କିଛି ଖାଦ୍ୟ ସମ୍ଭାର

ଆଶା ନାହିଁ ଆନ ମିଳିବ ପାରଣା ଉପଚାର ।

 

ତପସିଦ୍ଧି ଲାଗି ପାରଣା, କ୍ଷୁଧାତୁର ପରାଣ

ରାଜାଙ୍କୁ ଚୋର ହେବା ଯୋଗ ବିଧାତାଙ୍କ ଭିଆଣ ।

 

ହାଣ୍ଡି ଖଡ଼ ଖଡ଼ ଶବଦେ ରୁଦ୍ରମୂର୍ତ୍ତି ଚେଇଁଲା

‘କିଏ ତୁ ତସ୍କର ପଶିଛୁ-‘ ବୋଲି ରଡ଼ି ଛାଡିଲା ।

 

ଏ ବୋଇଲେ ମୁଁ ତ ତପସ୍ୱୀ ବଡ଼ କ୍ଷୁଧା କାତର

ଦିଅ କିଛି ଭୋଜ୍ୟ ସମ୍ଭାର ବ୍ରତ ପୃରୁ ମୋହର ।

 

‘ଜଟାଜୂଟ କଟି କୌପୀନ ବୋଲନ୍ତୁ କେ ଆପଣ ?’

ସେ ବୋଲନ୍ତି ‘ମୁହିଁ ଏ ଦେଶେ ବିଶ୍ୱାମିତ୍ର ରାଜନ ।

 

ଚମକି ପାଦତଳେ ପଡି ବୋଲେ କାକୁସ୍ଥ ହୋଇ

‘ମୁଁ ତ ଛାମୁଙ୍କର ପରଜା ହୀନ ଚଣ୍ଡାଳ ଦେହୀ ।

 

ପତ୍ନୀପୁତ୍ର ପରିଜନଙ୍କୁ ଗୋଟି ଗୋଟି ମାରିଛି

ସେହି ମାଂସେ ମୋର ତନୁକୁ ଏତେ କାଳ ରଖିଛି ।

 

ଥିଲା ଶ୍ୱାନଟିଏ ମୋହର ଆଶ୍ରିତ ଜୀବ ବୋଲି

ଏତେକାଳେ ପାଳନ କରି କାଲି ହତ୍ୟା କରିଲି ।

 

ସେହି ମାଂସ ମୋର ଉଚ୍ଛିଷ୍ଟ ଜଣାଇଲି ଯଥାର୍ଥ

ଘେନନ୍ତୁ ଯେବେ ଏ ବାଞ୍ଛିତ ଜୀବ ହେଉ କୃତାର୍ଥ ।

 

‘ଆଣ-’ ବୋଲି ରାଜା ବୋଲନ୍ତ ଚଣ୍ଡାଳ ନୟନରୁ

ଦରରେ ବାରି ଝରିଲା ଆନନ୍ଦର ସଙ୍ଗରୁ ।

 

‘ଆଜୀବନ ହୀନ ବୃତ୍ତିରେ ଦିନ ଯାଇଛି ମୋର

ଦିନେ ସେବି ନାହିଁ ବ୍ରାହ୍ମଣ ରାଜା ଋଷି ପୟର ।

 

ଦିନେ ବାଜିନାହିଁ ଅଙ୍ଗରେ ଦେବ-ଧୂଳି କଣିକା

ଅଛୁଆଁ ହୋଇନି ମୋଠାରୁ ଘୃଣ୍ୟ ଶ୍ୱାନ ଗଣିକା ।

 

ଗୀତା ଭାଗବତ ପୁରାଣ ତୁଳସୀରୁ ବଞ୍ଛିତ

ନରଜନ୍ମେ ହେଲି ଘୃଣିତ ପଦେ ପଦେ ଲାଞ୍ଛିତ ।

 

ଜନନୀଠାରୁ ନିର୍ବିକାରେ ନର ସେବା କରଇ

ସେହି ଅପରାଧେ ସମାଜ ମୋତେ ଶାସ୍ତି ଦିଅଇ ।

 

ଶୁଣିଥିଲି ମାତ୍ର ଗୁହକ ମୋର ନିଷାଦ ଭାଇ

ଧନ୍ୟକଲେ ଏକା ରାଘବ ପାଦରେଣୁ ବୋଳାଇ ।

 

ସତେକି ସେ ଭାଗ୍ୟ ମିଳିଲା ମୋର ଅନ୍ତିମ କାଳେ

ଏତେଦିନେ ଭାନୁ ଉଇଁଲେ ଅଚ୍ଛବଙ୍କ କପାଳେ ।

 

ସତ କହ କ୍ରୂର ଆଚାର ଲୁପ୍ତ ହେବ କାଳକୁ

ସଦୟ ତୋ ହୃଦ ହୋଇବ ଟେକି ନେବୁ କୋଳକୁ ।

 

ଜଣେ କେହି ନାହିଁ ବିଶ୍ୱରେ ତୋର ଆଜ୍ଞା ଟାଳିବ

କୋଟି ନୀତି-ଶାସ୍ତ୍ର ପୁରାଣ ପାଦତଳେ ଟଳିବ ।

 

ନାହିଁ ବାରି ନେତ୍ର ବାରିରେ ପାଦ ଦେଲା ପଖାଳି

ଚଣ୍ଡାଳ ଜନମୁଁ ତାରିଲ ହେଲ ଗୋତ୍ର-ଶଙ୍ଖାଳି ।

 

ଅସ୍ଥି ପ୍ରସ୍ତରର ମାଳାଟି ଗଳେ ଲମ୍ବାଇ ଦେଲା

କୁସୁମ ନାହିଁ ବରାଟକେ ଅର୍ଘ୍ୟ ଦେଇ ବନ୍ଦିଲା ।

 

କପାଳ ପାତ୍ରେ ଚର୍ମାସନେ ଶ୍ୱାନ ମାଂସ ପରଶି

ବକ୍ଷରୁ ରୁଧିର ପାନୀୟ ଦେବି ଘେନ ତପସ୍ୱୀ ।

 

ସ୍ନେହ ଅନୁକମ୍ପା କରୁଣା ଊଣା ଚଣ୍ଡାଳ ହୃଦ

ପଙ୍କିଳ କ୍ଷେତ୍ରରେ ଜାଣିବି ଫୁଟିଲା କୋକୋନଦ ।

 

ଦେବତା ପୟରେ କି ଧନ ଦିବ୍ୟ ମଧୁ ଅଞ୍ଜଳି

ଦେଖନ୍ତୁ ଜଗତେ ସ୍ୱପଚ ଦେଲେ କି ଅର୍ଘ୍ୟଥାଳି !

 

ହେଲେ ବଞ୍ଚିଥାନ୍ତି ମୁହିଁ ବା ଆଉ ଦିନ ଦୁଇଟା

ମରଣରେ ହେଉ ଉଶ୍ୱାସ ଧନ୍ୟ ହେଉ ମହୀଟା ।

 

ଶାଣ ଦିଆ କ୍ଷୁର ଧରିଲା ବକ୍ଷ ବିଦାରି ଦେଲା

‘ତୃଷାର୍ତ୍ତ ଅତିଥି ପିଅ ହେ ଜଳ ନାହିଁ’-ବୋଇଲା ।

 

ଭାବନ୍ତି କୌଶିକେୟ କିଏ ଏକୁ ଅଚ୍ଛବ କଲା

ଦଧିଚି ଶିବିଠାରୁ କେଉଁ ଗୁଣେ ଊଣା ହୋଇଲା ।

 

ଅଜଣା ରାଇଜ ସୌରଭ ଖେଳିଗଲା ନିମିଷେ

କବଳ କଲେ ଶ୍ୱାନ ମାଂସ ଉଚ୍ଛିଷ୍ଟକୁ ହରଷେ ।

 

ତିନି ଥର ଗ୍ରାସ ଘେନାଇ ପୁଣି ନିରସ୍ତ ହେଲେ

‘ପେଟପୂରା ଥରେ ଖାଆନ୍ତୁ’ ଯେତେ ମିନତି କଲେ ।

 

ନ ଘେନିଲେ ଋଷି ବୋଇଲେ ‘ଆଜ ଦିନ ଯାପନ

କରିବାକୁ ଲୋଡ଼ା ଯେତିକି କଲି ମାତ୍ର ଗ୍ରହଣ ।

 

ତତୋଧିକ ଲୋଭେ ଗ୍ରାସିଲେ ପାପଭାଗୀ ହୋଇବି

ଚଣ୍ଡାଳ ସିଦ୍ଧ ଶ୍ୱାନ ମାଂସ ଉଚ୍ଛିଷ୍ଟ ଅନ୍ନ ସେବି ।

 

ଜାତି କୁଳ ବର୍ଣ୍ଣ ବିଚାର ନାହିଁ କାହିଁ ଧରମେ

ଦେଖୁଛି ମାତ୍ରକ ହୃଦୟ ସଦାଚାର ମରମେ ।

 

ନରସେବା ଯାର ବରତ ତା’ ଠାରୁ ବଡ଼ ନାହିଁ

ଦେବପୂଜା ମାତ୍ର ସେଥକୁ ସ୍ପୃହା ଦିଏ ବଳାଇ ।

 

ଆଣ ପୁତ୍ର ପରିବାରଙ୍କ ଜୀର୍ଣ୍ଣ ଭସ୍ମ କଙ୍କାଳ

ବୋଲି ସଞ୍ଜୀବନ ସିଞ୍ଚନ୍ତେ ମୂର୍ତ୍ତିମନ୍ତ ସକଳ ।

 

ଅଘଟନକୁ ସଂଗଠନ କଲା କେତେ ମାତର

ତପୀଜନଙ୍କର କଟାକ୍ଷ କ୍ରମେ ଚର ଅଚର ।

 

ଧନ ଧାନ ପୂର୍ଣ୍ଣ କୁଟୀର ହେଲା ରାଜନବର

ଜଳ ଫଳ ପୂର୍ଣ୍ଣ ତଡ଼ାଗ ଉଦ୍ୟାନ ଗନ୍ତାଘର ।

 

ପୁଛିଲେ ‘କେତେଦିନ ହେଲା ଦୁର୍ଭିକ୍ଷର ସଞ୍ଚାର ?

କାହିଁ ଗଲେ ରାଜ ମହିଷୀ ଘେନି ରାଜ କୁମାର ?

 

ସେ ବୋଇଲା-ମାତ୍ର ଦେଖିଛି ଦେବୀ ଗଲେ କାନନେ

ଜାଣେ ନାହିଁ ଏଥୁଁ ଅଧିକ ହାହାକାର ଭୁବନେ ।

 

ମରଣର ଧ୍ୱନି ମୁଖର ହତଶିରି ଜଗତେ

***

 

ଷଷ୍ଠ ପର୍ବ

(କୌଶିକ)

(ସତ୍ୟବ୍ରତଙ୍କ ଉଦାର ଚିନ୍ତାଧାରା-। ସତ୍ୟ ରକ୍ଷା ଲାଗି ନନ୍ଦିନୀ ହତ୍ୟା, ବଶିଷ୍ଠଙ୍କ ଅଭିଶାପ ଓ ତ୍ରିଶଙ୍କୁତ୍ୱ ପ୍ରାପ୍ତି)

(୧)

ସତ୍ୟବ୍ରତ ସତ୍ୟରକ୍ଷା କରି

ଜଳ ପଲଳ ନିତ୍ୟ ଆହରି

କୁମରମାନଙ୍କୁ ପାଳିଲେ କୁତୁକେ

ପ୍ରଚଣ୍ଡ କାର୍ମୂକ ଧରି

ସେ ଉଲ୍ଲାସେ, ବାଳୁତଙ୍କୁ ଘେନି ଚଉପାଶେ

ଅସ୍ତ୍ର ଚାଳନ କଲା ପ୍ରକାଶେ

କେବେ କେବେ ମାତୃସମା ମହିଷୀଙ୍କୁ

ତିଆରି ବଚନ ଭାଷେ ।

 

(୨)

ଦିନେ ଦିନମାନ ଭ୍ରମି ଭ୍ରମି

ସହୃଦୟ ସତ୍ୟବ୍ରତ ପ୍ରେମୀ

ବାରୁଣୀ ଲଲାଟେ ରକ୍ତିମ ଛଟାରେ

ଭାନୁ ଦେଖି ଅସ୍ତଗାମୀ

ସେ ଅନାଇ,ଖାଦ୍ୟ ସମ୍ଭାର ନ ମିଳେ କାହିଁ

ସତ୍ୟ ଭ୍ରଷ୍ଟ ହେଲି ପରା ମୁହିଁ

ଦେଖିଲେ ସମ୍ମୁଖେ ନନ୍ଦିନୀ ଧେନୁକୁ

ହତ୍ୟା କଲେ ସେହିଠାଇଁ ।

 

(୩)

ତେଣେ ଦିବାଗତ ହେଲା ନିଶା

କୋଟି ପ୍ରଜାଙ୍କ ଏକ ଭରସା

ସେ ବଶିଷ୍ଠ-ଯୋଗବଳେ ଜାଣିଲେ ସେ ଇଷ୍ଟ

ଦୁଷ୍ଟ ଖଡଗେ ହୋଇଛି ନଷ୍ଟ

କ୍ରୋଧେ ଧୈର୍ଯ୍ୟ ଭ୍ରଷ୍ଟ ଧାଇଁଲେ ନିକଟ

କି କଲୁ ତୁହି ପାପିଷ୍ଠ ।

 

(୪)

ବାଲ୍ୟେ କଦାଚାରୀ ଉଚ୍ଛୃଙ୍ଖଳ

କଳଙ୍କିତ କଲୁ ରାଜକୁଳ

ତଥାପି ତୋହର, ଅଜ୍ଞାନ ବେଭାର

ନିର୍ବାସିତ ଘୃଣ୍ୟସ୍ଥଳ

ରେ ପାମର-କାମଧେନୁକୁ କଲୁ ସଂହାର

ଚମକିବେ ଶୁଣି ଚରାଚର

ତ୍ରିଶଙ୍କୁ ହୋଇ ତୁ ଭ୍ରମୁଥାଅ ବନେ

ପଶୁ ସଙ୍ଗେ କାରବାର ।’

 

(୫)

ଚାହୁଁ ଚାହୁଁ ସ୍ୱରୂପ ଟଳିଲା

କଦାକାର କୁତ୍ସିତ ଦଶିଲା

ନର କି ବାନର, ଅବା କେ ଅସୁର

ଗର୍ଜନେ ବିଶ୍ୱେ ଥରିଲା

ସେ ବିଚିତ୍ର, ଦଦ୍ରୁ ଚିହ୍ନରେ ଭରିଲା ଗାତ୍ର

ତାଳୁ ଉପରେ ଫୁଟିଲା ଛତ୍ର

ବିକଳାଙ୍ଗ ହୋଇ ଆହାର କରିଲେ

ପାଷାଣ ବନ୍ୟଜ ପତ୍ର ।

 

(୬)

ବୋଲେ ତଥାପି-ନାହିଁ ପାତକ !

ତୁଚ୍ଛ ଚୋପା ଏ ଦେହ ସନ୍ତକ

କଳୁଷ ମୋ ମନ, ପରଶି ନାହିଁ ତ

ଜିଣିବି ନିଶ୍ଚେ ଅନ୍ତକ

ସେ ଭୀଷଣ, ‘ପାପପୁଣ୍ୟ ମାନବ ସର୍ଜନ

ସବୁ ଶାସ୍ତ୍ର ମୂଳାଧାର ମନ

ନର ଦେହ ନର ପରାଣ ଠାରୁ କି

ପୋଥି ପାଠ ମହୀୟାନ ?’

***

 

ସପ୍ତମ ପର୍ବ

(କେଶର କୁଞ୍ଜ ଶେଯରେ ବୃତ୍ତେ-)

(ପତ୍ନୀପୁତ୍ର ସଙ୍ଗେ ମିଳନ, ତ୍ରିଶଙ୍କୁଙ୍କ ନୀତିବାଦ, ଶାସ୍ତ୍ର ହିଁ ଭ୍ରାନ୍ତି କାରଣ, ବିବେକ ମାତ୍ର ସତ୍ୟ ଶାଶ୍ୱତ)

 

ଚଣ୍ଡାଳ ଗୃହରୁ ଆସି

ଦେଖିଲେ କାନନସ୍ଥଳ ଉଦ୍ଭାସି

ଭାନୁକି ଶଶି, ବିଭାବସୁ ତେଜଃରାଶି ।

 

ଏକକୁ ଜିଣି ଅପର

ଜ୍ୟୋତିପୁଞ୍ଜ ଅଙ୍ଗ ସୁଷମା ଭାର

ତପୀ ପିଅର, ପୁଚ୍ଛନ୍ତି ‘କାହା କୁମର?

 

କାନ୍ୟକୁବ୍ଜେ ତପୋଧନ,

ଯାହାଙ୍କ ନାମେ ଚମକେ ଭୁବନ

ଧାତା ସର୍ଜନ-, ଯେ କରନ୍ତି ତୁଚ୍ଛ ଜ୍ଞାନ ।

 

କୌଶିକେୟ ବିଶ୍ୱାମିତ୍ର

ଶୋଣିତ ବିନ୍ଦୁରୁ ଜାତ ଏ ଗାତ୍ର

ଶୁଣିଲା ମାତ୍ର, ସଜଳ ହୋଇଲା ନେତ୍ର ।

 

ଏ କାଳେ ମିଳିଲେ ରାଣୀ

ପ୍ରଣିପାତ କରରେ ଧନମଣି

ସୌଭାଗ୍ୟ ଜାଣି, ସେହି ପରା ନୃପମଣି ।

 

‘କହ ଶୁଭାଙ୍ଗୀ ବହନ,

କି ସୂତ୍ରେ ରହିଲା ତୁମ ଜୀବନ

କେ ମହାପ୍ରାଣ, ସେବାବ୍ରତେ ମହୀୟାନ ?

 

କେ ମୋର ମଙ୍ଗଳକାରୀ

ଦେବତା କି ସେ ନରଦେହ ଧାରୀ

କି ଅର୍ଘ୍ୟ ଧରି, ପୂଜିବି କହ କିପରି !

 

ଶୁଣି ବିବରଣ ମାନ

ତକିତ ସ୍ତମ୍ଭିତ ନୀତି ପ୍ରଧାନ

(ପାତକ) ‘କି ଗରୀୟାନ !

 

ତଥାପି ସେ ନୋହେ ହୀନ

ନରକକୁ ଭୀତି ନାହିଁ,

ସତ୍ୟରକ୍ଷା ଲାଗି ତୁଚ୍ଛ ମଣଇ

ଏ ଦମ୍ଭ ଯହିଁ, ବଳି କେ ଧନ୍ୟ ଅଛଇ !

 

ଶିବ ଦଧୀଚି ସମାନ,

ପରଲାଗି ଯା’ର ଏ ଅଭିଯାନ

ଜ୍ଞାନ ବିଜ୍ଞାନ, ମୁଷ୍ଟିଗତ ସର୍ବଧନ ।

 

ଅବିଳମ୍ବେ ତହିଁ ଯାଇଁ,

ଦେଖିଲେ କୁମାର କୁତ୍ସିତ ଦେହୀ

ତ୍ରିଶଙ୍କୁ ହୋଇ- ତିଳେ କ୍ଷୋଭ ମନେ ନାହିଁ ।

 

ସିଂହ ଶାର୍ଦ୍ଦୁଳ ଶୃଗାଳ,

ଶିଶୁମାନଙ୍କୁ ଘେନି ପଶୁମାନ

ଖାଦ୍ୟ ସମ୍ବଳ, ଖୁଆଇ ମନ ପୁଷ୍କଳ

କାନନ ସ୍ଥଳ, ତପୋବନରୁ ନିର୍ମଳ ।

 

ନର ସମାଜ ବର୍ଜିତ,

ସୁରୂପ ସୁକାନ୍ତି ଭାଗ୍ୟ ବଞ୍ଚିତ

ଅଯୋଧ୍ୟାସୁତ, ନେତ୍ରେ ସନ୍ତୋଷ ବିମ୍ବିତ ।

 

ବାବୁ ଶୁଣିଛି ସକଳ

କଳ୍ପାନ୍ତ ତପସ୍ୟାଠାରୁ ଉଜ୍ଜ୍ୱଳ

ତୁମ୍ଭ ଅନ୍ତର, ପିୟୁଷର ଗନ୍ତାଘର ।

 

ମୋ ଲାଗି ତୁମ୍ଭ ଲାଞ୍ଛନ,

ଅବଶ୍ୟ କରିବି ମୁଁ ପ୍ରତିଦାନ

କହ ନନ୍ଦନ, ‘କି ବାଞ୍ଛା ତୋର ପ୍ରଧାନ ?

 

ମୋ ପାଇଁ କରିଛୁ ଯେତେ,

ଅଦେୟ ନାହିଁ ତୋଠାଇଁ କିଞ୍ଛିତେ

କଳ୍ପ କଳ୍ପାନ୍ତେ, ଅମର ହେବୁ ଜଗତେ’ ।

 

‘ମୁଁ ତ ଅଭିଶପ୍ତ ଦେହୀ,

ପାପ କି ପୁଣ୍ୟ କିଛି ଜାଣେ ନାହିଁ

ସ୍ୱଚ୍ଛନ୍ଦେ ଥାଇ, ବିବେକ ବାଣୀ ଘେନଇ ।

 

ଅଯୋଧ୍ୟା ମୋର ସଂସ୍ଥାନ

ଦୁର୍ଭିକ୍ଷ ମଡ଼କେ ହୋଇଛି ଦୀନ

ତ୍ରାଣ କାରଣ, କର ଯାହା ସୁବିଧାନ ।

 

ତହିଁ ବାଳୁତ କୁମର,

ହରିଶ୍ଚନ୍ଦ୍ର ମୋର ଭାଗ୍ୟେ କାତର

ହେ ଯତିବର, କଲ୍ୟାଣ ଲଭୁ ତୁମ୍ଭର ।

 

 

ଦେଖିଲି ଏ ମର୍ତ୍ତ୍ୟପୁର,

ଧର୍ମ ନାମେ ସ୍ୱଚ୍ଛ ଅନ୍ଧ ସଂସ୍କାର

ମିଥ୍ୟା ସଂସାର, କିମ୍ପା ହେବ ଏ ପ୍ରଚାର ?’

 

ଜୀବନ ଦେହାନ୍ତ କାଳେ,

ବୋଲନ୍ତି ସରଗ ନରକ ଫଳେ

କଳ୍ପନା ବଳେ, କେତେ ଭ୍ରାନ୍ତି ଭାବ ଖେଳେ ।

 

ସ୍ୱାର୍ଥେ ମାନବ ଚାଳିତ;

ସ୍ୱାର୍ଥରୁ ଶାସ୍ତ୍ର ହେଲା ଉପଜାତ

ସ୍ୱଚ୍ଛନ୍ଦ ଚିତ୍ତ-, ବିକାଶେ ଏ ଅପଘାତ ।

 

ଶାସ୍ତ୍ରର କାଷ୍ଠ ପିତୁଳି,

ପରାୟେ ଖେଳନ୍ତି ନର ମଣ୍ଡଳୀ

ବିବେକ ଜାଳି; ନ ଦେଖନ୍ତି ଧଳୀ କାଳୀ ।

 

ସ୍ୱଚ୍ଛନ୍ଦ ମନ ବିଚାର

ନୋହେ ତା ଜଟିଳ ସରଳ ସାର

ସେ ହେଉ ମୂଳ, ଶାସ୍ତ୍ର ମାତ୍ର ଜୀର୍ଣ୍ଣ ଦଳ ।

 

 

ଭୋଗ ତ୍ୟାଗ ଦୁଇ ପଥ

ଯାର ଯହିଁ ଋଚି ଯାଉ ଜଗତ

ପୂତ ପବିତ୍ର, ସମାନ ହେଉ କଳ୍ପିତ ।

 

ଏ ଦେହ ସ୍ୱରଗ ସ୍ଥଳ

ଦେହୀ ନୁହନ୍ତି କେବେ ଉଚ୍ଛୃଙ୍ଖଳ

ନିତ୍ୟ ମଞ୍ଜୁଳ, ଶାସ୍ତ୍ର କରୁଛି ଜଟିଳ ।

 

ମିଥ୍ୟା ଶାସ୍ତ୍ରର କଳ୍ପନା,

ପ୍ରୟୋଜନ ନାହିଁ ଏତେ ସାଧନା

ମିଥ୍ୟା ବର୍ଣ୍ଣନା, ଥାଉ ବିବେକର ବାନା’ ।

 

‘‘କି କହିଲୁ ମୋର ପୁତ୍ର,

କେହି ଆଙ୍କିନାହିଁ ଏ ଚାରୁ ଚିତ୍ର

ସତ୍ୟ ପବିତ୍ର, ରୋମାଞ୍ଚିତ କଲୁ ଗାତ୍ର ।

 

ତେଣୁ ମୁଁ କରିଛି ମନ

ପ୍ରତ୍ୟକ୍ଷେ ଏ ଦେହେ ଦେଖନ୍ତି ସ୍ଥାନ

ସ୍ୱର୍ଗ ଭୁବନ, କି ଘେନି ଏତେ ପ୍ରଧାନ ।

 

 

ମରଣ ପରେ ଏ ଜୀବ

ସୂକ୍ଷ୍ମ ଦେହେ ଯେବେ ତହିଁ ଭ୍ରମିବ

ନଥିବ ଚିତ୍ତ, କେମନ୍ତେ ବାର୍ତ୍ତା କହିବ ?

 

ଇନ୍ଦ୍ରିୟ କିଛି ନ ଥିଲା

ମସ୍ତିସ୍କ ତ ଜୀର୍ଣ୍ଣ ପାଉଁଶ ହେଲା

କାହୁଁ ଜାଣିଲା, କେଉଁ ଯନ୍ତ୍ରେ ଜଣାଇଲା ?

 

ତେଣୁ କହେଁ ଅବାସ୍ତବ

ଯେଉଁ ଭିତ୍ତିମୂଳେ ଶାସ୍ତ୍ର ଉଦ୍ଭବ

କ୍ରାନ୍ତି ସମ୍ଭବ, ସତ୍ୟ କି କଳ୍ପନା ଭାବ !’’

***

 

ଅଷ୍ଟମ ପର୍ବ

(ଚଉତିଶା ବୃତ୍ତ)

(ତ୍ରିଶଙ୍କୁଙ୍କର ସ୍ୱର୍ଗାଭିଯାନ)

 

ଏ ଅତି କ୍ଷୁଦ୍ର କାମନା

ଏଥିଲାଗି କିମ୍ପା ଏତେ ଭାବନା

ସିଞ୍ଚିଲେ ବାରି, କୋଟି ସ୍ୱର୍ଗ ସର୍ଜିପାରି ।

 

ଜନ୍ମ ଜନ୍ମାନ୍ତର ପୁଣ୍ୟ

ତପସ୍ୟା ଜୀବନେ ଯେତେ ଅର୍ଜନ

କଲି ପ୍ରଦାନ, ଘେନ ତୁମ୍ଭେ ଯଶୋଧନ ।

 

ସ୍ୱର୍ଗଧାମେ ଉଚ୍ଚାସନ

ଲଭିବାକୁ ତୁମ୍ଭେ କର ଗମନ

ବୋଲି କୌଶିକ, ସିଞ୍ଚିଲେ ପୁଣ୍ୟ-ଉଦକ ।

 

ଜ୍ୟୋତିର୍ମୟ ଦେହ ଧରି,

ଧୂମକେତୁ ପରା ଯାନ୍ତେ ସଞ୍ଚରି

ସରଗପୁରୀ, ଆତଙ୍କେ ଛାଡ଼ିଲେ ହୁରି ।

 

 

 

ତ୍ରିଶଙ୍କୁ ଚଣ୍ଡାଳ ଦେହୀ

ଭେଦିବାକୁ ସ୍ୱର୍ଗ ଆସୁଛି ଧାଇଁ

ଅଚ୍ଛବ ଜାତି, ବିପରୀତ ହେଲା ନୀତି ।

 

ବାସବ କୋପେ ଅଶନି

ଶିରେ ଘନ ଘନ ଛାଟିଲା କ୍ଷଣି

ଉଠିଲା ଧ୍ୱନି, ‘ତ୍ରାହି ବିଶ୍ୱାମିତ୍ର ମୁନି-’ ।

 

‘ତହିଁ ରହ ରହ ତହିଁ-’

କ୍ରୋଧେ କୌଶିକେୟ ତନୁ କମ୍ପଇ

ସରଗେ ଚାହିଁ-‘ଫୁତ୍କାରେ ଦେବି ଉଡାଇ-’ ।

 

-ଏଡ଼େ ଶୁଚିମନ୍ତ ତୁହିଁ

ମୁଁ ଯାକୁ ପଠାଏ ଯୋଗ୍ୟ ମନାଇ

ମାରୁ ବଜର, ପୂର୍ଣ୍ଣ ହେଲା ଆୟୁ ତୋର ।

 

ନ ଜାଣୁକି ମୋର ନାମେ

ଧାରା ସବିତା ଗ୍ରହ ତାରାମାନେ

କାତରେ ଥରି, ପଦାନତ ତୃଣପରି ।

 

ଚାହାଁରେ ମୂର୍ଖ ପାଷାଣ୍ଡ

ସର୍ଜନ କଲି ନୂତନ ବ୍ରହ୍ମାଣ୍ଡ

(ଏହି) ଚଣ୍ଡାଳ, ତହିଁ , ରହିବେ ବାସବ ହୋଇ ।

 

ସେ ରାଜ୍ୟରେ କ୍ଷୁଧା ତୃଷା

ନ ଥିବ ପାପପ୍ରବୃତ୍ତି ଲାଳସା

କରୁ ପ୍ରଦାନ, ନିତ୍ୟ ମଳୟ ପବନ ।

 

କର୍ପୂର ଗନ୍ଧଚନ୍ଦନ

ହୋଇବ ମୃତ୍ତିକାର ଉପାଦାନ

ସୁଗନ୍ଧ ତୃଣ, ସୁସ୍ୱାଦୁ ଫଳ ପ୍ରସନ୍ନ ।

 

ବର୍ଣ୍ଣ ଭେଦ ଜାତି ଭେଦ

ନ ରହିବ ଉଚ୍ଚ ନୀଚ ବିବାଦ

ସୌମ୍ୟ ପବିତ୍ର, କେବଳ ମଞ୍ଜୁଳ ଚିତ୍ର ।

 

ତୃଣ ପୁଷ୍ପ ବନଲତା

ନାନାବର୍ଣ୍ଣ ନାନା ସୌରଭ ଯୁତା

ଝର ତଟିନୀ, ସୁଧା ଧାରା ନିସ୍ୟନ୍ଦିନୀ ।

 

 

ଗ୍ରହ ତାରା ଭାନୁ ଶଶି

ସ୍ନିଗ୍ଧ ରଶ୍ମିମାଳା ଦେଉ ପ୍ରକାଶି

ଜ୍ଞାନ ଆନନ୍ଦ, ଶତ ରାଗ ଶତ ଛନ୍ଦ ।

 

ତ୍ୟାଗ ସନ୍ତୋଷ ନିରୋଗ

ମାତ୍ର ତହିଁ ବ୍ରହ୍ମାନନ୍ଦ ସମ୍ଭୋଗ

ହାସ୍ୟ ପୁଷ୍କଳ ତୃପ୍ତି ରାଜ୍ୟ ଅଚଞ୍ଚଳ ।

 

ବୋଲୁଁ ଯତି ଏହି ମତେ

ନବୀନ ସୁନ୍ଦର ବ୍ରହ୍ମାଣ୍ଡ ପଥେ

ସ୍ୱରଗ ଛାଡ଼ି, ଦେବତାଏ ଗଲେ ମାଡ଼ି ।

 

ଇନ୍ଦ୍ରଙ୍କୁ ହେଲା ସଙ୍କଟ

ପ୍ରଣିପାତ କରି ବୋଲେ ଆକଟ

ନ କର ଋଷି, ସ୍ୱର୍ଗପୁର ଯିବ ଧସି ।

 

‘ପୋଡୁ ତୁମ୍ଭର ସ୍ୱରଗ

କଳୁଷେ ପଙ୍କିଳ ଜୀର୍ଣ୍ଣ ମାରଗ

ଶାସ୍ତ୍ର ପୁରାଣ, ଯଥା ଚର୍ବିତ ଚର୍ବଣ ।

 

ଥିଲା ଦିନେ ଯାହା ଭଲ

ତହିଁ ଆଜ ମାତ୍ର କଳ୍ମଷ ମଳ

ମନ୍ଦ ସଂସ୍କାର, ତେଣୁ କରିବି ସଂହାର ।

 

ଯାହା ବୋଲ ‘ସନାତନ’

ସ୍ୱାଧୀନ ମନ ବନ୍ଧନ କାରଣ

ସେ ପଥେ ଯାଇଁ, କେତେ ଭ୍ରାନ୍ତ ଦଗା ପାଇ ।

 

ମାତ୍ର ଶତଯଜ୍ଞକାରୀ

ବୋଲାଉ ବାସବ ତୁ ଅହଙ୍କାରୀ

ବିନାଶ କାଳ, ତେଣୁ ଭାବିଲୁ ଚଣ୍ଡାଳ ।

 

ଜାତିବର୍ଣ୍ଣ କଲୁ ମୂଳ

ନ ବୁଝିଲୁ କେତେ ହୃଦୟ ବଳ

ମୁଁ ପୁଣି ଦେଲି, ଜନ୍ମାର୍ଜିତ ପୁଣ୍ୟ ଢାଳି ।

 

ଜୀବନର ପ୍ରତିକ୍ଷଣ

ଅଶ୍ୱମେଧ କେତେ କୋଟି ଅର୍ଜନ

ମୁଁ ତପୋଧନ, ତଥାପି ଦିଶିଲା ସାନ ।

 

 

ଜନ୍ମ ଜନ୍ମାନ୍ତର ପୁଣ୍ୟ

ଅନନ୍ତ ଅସୀମ ଯା ଅକଳନ

କରିଲି ଦାନ, ସ୍ୱରଗେ ନୋହେ ଭାଜନ ।’

 

ନିରୁତ୍ତର ପୁରନ୍ଦର

ବାସ୍ତବେ ହୋଇଛି ଭ୍ରମ ବିଚାର

ଜାଣିଲି ସାର, ସତ୍ୟ ନୋହେ ନ ସଂସ୍କାର ।

 

କ୍ଷମାକର ତପୋଧନ

ଶତ ଦେବତାରୁ ଉଚ୍ଚ ଆସନ

କରିବି ଦାନ, ଧନ୍ୟ ହେବ ମୋ ଜୀବନ ।

 

ପୁଷ୍ପକ ଯାନ ଅଣାଇ

ସ୍ତବ ବନ୍ଦନେ ତାହାଙ୍କୁ ମନାଇ

ନେଲେ ଚଣ୍ଡାଳ, ଦେଲେ ପାରିଜାତ ମାଳ ।

 

ଚଣ୍ଡାଳ ଜାତି କୌଶିକ

ଘୋଷିଲେ ଚଣ୍ଡାଳ ବ୍ରାହ୍ମଣ ଏକ

ତୁଳିଲେ ମାତ୍ର, ତପସ୍ୟା ଜ୍ଞାନ ବିବେକ ।

***

 

ନବମ ପର୍ବ

(ବ୍ରାହ୍ମଣତ୍ୱ କେଉଁଠାରେ ? ଭର୍ତ୍ତୃହରି କହନ୍ତି ‘ଏକୋଧର୍ମ ଦୟା ବା କ୍ଷମା ବା’)

(ବଶିଷ୍ଠ ଓ ବିଶ୍ୱାମିତ୍ର ସମ୍ବାଦ)

(ଶଙ୍କରାଭରଣ)

 

(୧)

ବାସବ ଦର୍ପ ସଂହାର ତ୍ରିଶଙ୍କୁ ଉଦ୍ଧରି

ବଶିଷ୍ଠ ଆଶ୍ରମେ ବିଜେ ହେଲେ ତପଚାରୀ

ସେ ବୋଲନ୍ତେ, ‘ସୁପ୍ରଭାତ-

କଲ୍ୟାଣ ହେଉ ରାଜନ-’ ଶୁଣି ସଚକିତ ଯେ ।

 

(୨)

ତଥାପି ନ କଲ ମୋତେ ତୁମ୍ଭେ ନମସ୍କାର

ବ୍ରାହ୍ମଣ ବୋଲନ୍ତି ମୋତେ ବିଶ୍ୱ ଚରାଚର

ମୋର ତପୋବଳ କେତେ

ସେ ବାର୍ତ୍ତା କି ବାଜିନାହିଁ ତୁମ୍ଭ ଶ୍ରୁତିପଥେ ।

 

(୩)

‘ବାରମ୍ବାର ଅପମାନେ କରୁଛ ଜର୍ଜର

ବ୍ରାହ୍ମଣ ନୋହିଲି ଯେବେ କି ଜାତି ମୋହର

ବୋଲୁଁ କ୍ଷତ୍ରିୟ ରାଜନ-

ଆପାଦ ମସ୍ତକ କ୍ରୋଧେ ହେଲା ପ୍ରକମ୍ପନ ।’

 

(୪)

‘କ୍ଷତ୍ରିୟ ହୋଇଲି ଯେବେ ହେବକି ପୁରୋଧା

‘ବଶିଷ୍ଠ-ମାରଣ’ ଯଜ୍ଞେ ବଳିଛି ମୋ ଶ୍ରଦ୍ଧା

ଘେନ ଆମନ୍ତ୍ରଣ ମୋର

ବିଧିମତ ଯଜମାନ ବାଞ୍ଛା ପୂର୍ଣ୍ଣ କର ।

 

(୫)

‘ତଥାସ୍ତୁ ନିଶ୍ଚୟ ତୁମ୍ଭ ବାଞ୍ଛା ପୂର୍ଣ୍ଣ ହେବ

ବ୍ରାହ୍ମଣ ମୁଁ ମୋ ଆହୂତି ନିଷ୍ଫଳ ନୋହିବ

ଯଜ୍ଞସ୍ଥଳେ ଦେଖିନେବ

ବ୍ରାହ୍ମଣ କିପରି ଦ୍ରବ୍ୟ ଚିହ୍ନିଲେ ଚିହ୍ନିବ ।

 

(୬)

ଜଣେ ଜଣେ ପୂଜ୍ୟଜନେ କଲେ ନିମନ୍ତ୍ରଣ

ହବ୍ୟ ସମିଧ ସମ୍ଭାର ହେଲା ଆୟୋଜନ

ତିଥିବାର ଲଗ୍ନମାନ

ବିଚାରି ସୁକାଳ ଯଜ୍ଞ କଲେ ଆରମ୍ଭଣ ।

 

(୭)

ଶୁଣି ଏ ବାରତା ବିଶ୍ୱ ଚମକି ଉଠିଲା

ବଶିଷ୍ଠ ମାରଣ ଯଜ୍ଞ ଶଙ୍କା ଉପୁଜିଲା

ଜ୍ଞାନ ପ୍ରଭାକର ଗଲେ

ଗ୍ରାସିବ ଅଜ୍ଞାନ ଅନ୍ଧକାର ଭୂମଣ୍ଡଳେ ।

 

(୮)

କାତରେ ପ୍ରତି ନୟନୁଁ ଝରେ ଅଶ୍ରୁଧାରା

ଥରିଲେ ବାସୁକୀ ଥରିଗଲେ ବିଶ୍ୱମ୍ଭରା

ଅଗ୍ନି ହୋଇଲା ପ୍ରଜ୍ୱଳ

ନିର୍ବିକାର ବଶିଷ୍ଠ ପୁରୋଧା ଅବିଚଳ ।

 

(୯)

ବିଚିତ୍ର କଥା ଏ ଯାର ଶତ ପୁତ୍ର ମାରି

ଛାଟିଲି ଅଗ୍ନି ମୁଖକୁ ନୋହିଲେ ବଇରି

ଇଚ୍ଛା କରିଥିଲେ ମୋତେ

ପଙ୍ଗୁକରି ଛାଡ଼ିଥାନ୍ତେ କଟାକ୍ଷ ଇଙ୍ଗିତେ !

 

 

 

 

(୧୦)

ଗୋଟି ଗୋଟି ପୁତ୍ରନାଶ ସ୍ୱଚକ୍ଷେ ଦେଖିଲେ

ଦିନେ ତ ବିନ୍ଦୁଏ ଅଶ୍ରୁ ତହୁଁ ନ ଢାଳିଲେ

ମର୍ମ ବିଦାରି ସେ ଜ୍ୱାଳା

ଦିନେ ତ ଲଲାଟେ ରେଖା ନ ଦେଖିଲି କଳା ।

 

(୧୧)

ଆସିଛନ୍ତି ପୁରୋଧା ମୋ ହିତ ବାଞ୍ଛା କରି

ଆପଣା ମସ୍ତକ ବଳି ଦେବାକୁ ଏପରି

ମାତ୍ର ତିନୋଟି ଆହୂତି

ବୁଡ଼ିବ ବଶିଷ୍ଠ ନାମ ନାହିଁ ତିଳେ ଭୀତି ।

 

(୧୨)

ସ୍ୱାହା ସ୍ୱାହା ନିନାଦ ଶୁଭିଲା ଯଜ୍ଞସ୍ଥଳେ

ଆହା ଆହା ଶବଦରେ ପ୍ରତିଧ୍ୱନି ଖେଳେ

ଏକ ପରେ ଗଲା ଦୁଇ

ଶାନ୍ତି ବାରି ଛାଟି ରାଜା ଦେଲେଣି ନିଭାଇ ।

 

 

 

 

(୧୩)

‘କି କଲ କି କଲ ତୁମ୍ଭେ ତପଃଶୀଳ ହୋଇ

ମହୋର୍ଜ୍ଜଳ ମୁଖ ଭଗ୍ନ କରିଲ କି ପାଇଁ ?’

ସେ ବୋଇଲେ-‘ହୋଇନାହିଁ

ବ୍ରାହ୍ମଣର ଧୈର୍ଯ୍ୟ ‘କ୍ଷମା’ ମୁହିଁ ଶିଖି ନାହିଁ ।

 

(୧୪)

ନମସ୍କାର-ଘେନ ମୋର ହୋଇଛ ବ୍ରାହ୍ମଣ

ଜୀବେ ଦୟା-ଜାଗ୍ରତ ହୋଇଛି ଏତେ ଦିନ

ନୁହଁ କ୍ଷତ୍ରିୟ ରାଜନ

ବ୍ରହ୍ମବଳେ ବଳୀୟାନ ଜଗତ ପାବନ !

 

(୧୫)

ଉପବୀତ ଦେଇ ସମାଦରେ ବନ୍ଦାଇଲେ

ତପୋବନ ଧନ ପରସ୍ପରେ ଛନ୍ଦାଇଲେ

ନରଜନ୍ମେ ବାଞ୍ଛାବଟ

ନରଦେହୀ ଦେବତା କି ମାନବେ ପ୍ରକଟ ।

 

 

 

 

(୧୬)

ଅକ୍ରୋଧ ପରମାନନ୍ଦ ନିର୍ବିକାର ମନ

ସ୍ୱାର୍ଥ ସୁଖ ବଳିଦାନ ଜଗତ କଲ୍ୟାଣ

ହିଂସାହୀନ ତ୍ୟାଗ ମନ୍ତ୍ରେ

ବ୍ରାହ୍ମଣର ଧୈର୍ଯ୍ୟ କ୍ଷମା ବ୍ରହ୍ମଜ୍ଞାନ ତନ୍ତ୍ରେ ।

 

(୧୭)

ବ୍ରାହ୍ମଣ ଓଁ କାର ଧ୍ୱନି ସଙ୍କେତ ସୁନ୍ଦର

ବ୍ୟର୍ଥ ଅଭିମାନ ଛାଡ଼ି ପିନ୍ଧୁ ରତ୍ନହାର

କୃଷ୍ଣପ୍ରସାଦର ଭାଷା

ବ୍ରାହ୍ମଣର ପାଦଧୂଳି ନିତ୍ୟ ମୋ ଭରସା ।

 

(୧୮)

ବସୁ ବଂଶେ ଜାତ ମୁଁ ଯଜାତି ପୁରେ ବାସ

ବ୍ରାହ୍ମଣଙ୍କ ହୋମାହୂତି ଗନ୍ଧେ ମୋର ଆଶ

ଦେବୀ ଭାଗବତ କଥା

ଦୂର କରୁ କୁସଂସ୍କାର ଦେଉ ସାର ବାର୍ତ୍ତା ।

 

ସମାପ୍ତ